ଅକ୍ଷର ବ୍ୟୁରୋ: ୨୮ ତାରିଖ ସନ୍ଧ୍ୟାରୁ ୨୯ ସକାଳ ମଧ୍ୟରେ ବେଶୀ ପ୍ରଭାବ । ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ଲ୍ୟାଣ୍ଡଫଲ୍ । ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ବହିବ । ସେହିପରି ଭାବେ ଉତ୍ତର ଓଡ଼ିଶାରେ ପ୍ରଭାବ କମ୍ ରହିବ । ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ । ଆଉ ୨୪ଘଣ୍ଟା ଭିତରେ ଭୟଙ୍କର ରୂପ ଧାରଣ କରିବ । ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବ । ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶନିବାର ପୂର୍ବାହ୍ନରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାକୁ ବାତ୍ୟା ଓ ବର୍ଷା ଆଲର୍ଟ ଜାରି କରାଯାଇଛି । ବାତ୍ୟାର ପ୍ରକୋପ ୧୫ ଜିଲା ଉପରେ ଅଧିକ ରହୁଥିବାରୁ ସେଠାରେ ସଜାଗ ରହିବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିି । ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ କରାଯାଇଛି । ରେଡ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷିବ ବୋଲି ସୂଚନା ମିଳିଛି । ସେହିପରି ୨୮ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଠିଂ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ମଧ୍ୟ ୨୮ରେ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି । ଆଉ ୧୭ ଜିଲ୍ଲାକୁ ୨୮ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଛି । କାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।












Leave a Reply