ଅକ୍ଷର ବ୍ୟୁରୋ: ସାମ୍ଭବ୍ୟ ବାତ୍ୟା ମୋନ୍ଥା ପାଇଁ ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୨୮ ଓ ୨୯ ତାରିଖ ଦୁଇ ଦିନ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇପାରେ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।
ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ଗୃହଗୁଡ଼ିକ ବ୍ୟବହାର କରାଯାଇପାରେ । ଡିଇଓମାନେ ଆବଶ୍ୟକ ସମୟରେ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଶ୍ରେଣୀ ଗୃହରେ ଏବଂ ଅନ୍ୟାନ୍ୟ କୋଠରୀଗୁଡ଼ିକରେ ବିଦ୍ୟୁତ୍ ଚଳାଚଳକୁ ବନ୍ଦ ରଖିବେ । ବିଦ୍ୟାଳୟରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ଓ ଆସବାବପତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବେ । ବାତ୍ୟା ପରେ ସମସ୍ତ ଉପକରଣ ଓ ଆସବାବପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ ।
ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇଥାଏ ତେବେ ପ୍ରଧାନଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଡିଇଓଙ୍କୁ ଜଣାଇବେ । ଡିଇଓ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ଓ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଜଣାଇବେ । ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ହେଉଥିବା ଚାଉଳକୁ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରିପାରିବେ ଏବଂ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ରିଲିଫ କମିସନରଙ୍କଠାରୁ ଭରଣା କରାଯିବ । ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ‘କଣ୍ଟ୍ରୋଲ୍ ରୁମ୍’ ଖୋଲିବେ ଏବଂ ଡିଇଓଙ୍କ ଯୋଗାଯୋଗରେ ରହିବେ। ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ମଧ୍ୟ ୨୪ ଘଣ୍ଟିଆ ‘କଣ୍ଟ୍ରୋଲ୍ ରୁମ୍’ ଖୋଲିବ ।












Leave a Reply