ଅକ୍ଷର ବ୍ୟୁରୋ: ଆଜି ଲୋକସେବା ଭବନରେ ବସିବ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ରାଜସ୍ୱମନ୍ତ୍ରୀ ସମେତ ମୁଖ୍ୟ ଶାସନ ସଚିବ ଏସ୍ଆର୍ସି ଉପସ୍ଥିତ ରହିବେ । ସବୁ ଜିଲ୍ଲାର ଅଧିକାରୀ ବି ଏହି ବୈଠକରେ ଯୋଡ଼ି ହେବେ । ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ଏକ ପାହାଡ଼ ଧସି ଯାଇଛି । ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଛି ଭୂସ୍ଖଳନ । ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିବା ଏହି ରାସ୍ତାଟି ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏବେ ଭୀଷଣ ବାତ୍ୟା ରୂପ ନେଇ ସାରିଛି ବାତ୍ୟା ମୋନ୍ଥା । ଆଜି ରାତି ସୁଦ୍ଧା ଆନ୍ଧ୍ରର କାକିନାଡ଼ା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ୧୧୦ କିମି ବେଗରେ ଝଟକା ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ରାଜ୍ୟରେ ଏବେ ସୁଦ୍ଧା ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ୧୦୭୭-୦୬୮୫-୨୫୧୧୦୧ କଲ୍ କରି ସହାୟତା ପାଇ ପାରିବେ ଲୋକେ । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି’ ନମ୍ବରରେ କଲ୍ କରି ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ । ଗତକାଲିଠାରୁ ମାଲକାନଗିରିରେ ବି ହେଲ୍ପଡେସ୍କ ସକ୍ରିୟ ରହିଛି ।
ଏବେ ବାତ୍ୟା ମୋନ୍ଥା ଗୋପାଳପୁର ଠାରୁ ୫୫୦ କିମି ଦୂରରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନର ଆଶଙ୍କା ରହିଛି । ବାତ୍ୟା ପାଇଁ ୧୧ ଜିଲ୍ଲାରେ ସ୍କୁଲ୍ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ଏବେ ଭୀଷଣ ବାତ୍ୟାର ରୂପ ନେଇ ସାରଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବେଳାଭୂମି ଖାଲି କରାଯାଉଛି, ଏବେ କାକିନାଡ଼ାଠାରୁ ମାତ୍ର ୧୯୦ କିମି ଦୂରରେ ରହିଛି ବାତ୍ୟା । ଭୟଭୀତ ନହୋଇ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଉଛି ।












Leave a Reply