ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସିଲ୍ ହେଲା କଳିଙ୍ଗା ଘାଟି ।

ଅକ୍ଷର ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ମୋନ୍ଥା ଲାଗି କନ୍ଧମାଳ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ସୋମବାର ଅପରାହ୍ନରୁ ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । ବିପଦସଙ୍କୁଳ ଅବସ୍ଥାରେ ଥିବା ଭୂସ୍ଖଳନ ସ୍ଥାନରେ ପୁଣି ଭୂସ୍ଖଳନ ଆଶଙ୍କା ସହ ଅନ୍ୟସ୍ଥାନରେ ମଧ୍ୟ ଅନୁରୂପ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଳିଙ୍ଗା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଘାଟି ଉପରକୁ ଚଳାଚଳକୁ ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ କରିଦିଆଯାଇଛି । ସ୍ଥିତି ମୁକାବିଲା ପାଇଁ ଜିଲ୍ଲାରେ ଏନଡିଆରଏଫର ଗୋଟିଏ ଓ ଓଡିଆରଏଫର ୩ ଦଳ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ୪୧ଟି ଅସ୍ଥାୟୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି । ଆବଶ୍ୟକ ସ୍ଥଳେ ଏଠାକୁ ସ୍ଥାନାନ୍ତର ପାଇଁ ୧୧୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି ।

ସେହିଭଳି ସୋମବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ ଗର୍ଭବତୀ ଓ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫୯ ଜଣଙ୍କୁ ମଙ୍ଗଳବାର ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ବାତ୍ୟା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିଭଳି ଫୁଲବାଣୀ ପୌର ପରିଷଦ ପକ୍ଷରୁ ମଧ୍ୟ ବାତ୍ୟା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି । ପରିସ୍ଥିତି ଉପରେ ଚବିଶ ଘଣ୍ଟିଆ ନଜର ରଖିବା ପାଇଁ ପରିଷଦ ପକ୍ଷରୁ ତିନୋଟି ରାପିଡ ଆକ୍ସନ ଟିମ ଗଠନ କରାଯାଇଛି । ସହରର ଅରବିନ୍ଦ ନଗର, ତ୍ରିଦେବ ନଗର ଓ ଶଗଡିଆ ସାହିକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ଆବଶ୍ୟକ ସ୍ଥଳେ ପ୍ରାୟ ୬୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ସୂଚନା ଦେଇଛନ୍ତି ।

ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରସ୍ତୁତି ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର, ଗଛ କାଟିବା ପାଇଁ ଜେସିବି ମେସିନ, ବିଦ୍ୟୁତ ସରବରାହ ବ୍ୟବସ୍ଥା ଉପରେ ନଜର ରଖିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ସହରର ବିଭିନ୍ନ ଅଞ୍ଚଳର ୭ ଜଣ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଜାରୀ ରଖିଛି । ସେହିଭଳି କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ କରୁଥିବା ଅନ୍ୟ ସମସ୍ତ ଘାଟି ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସମଗ୍ର ଜିଲ୍ଲାରେ ସମସ୍ତ ପ୍ରକାର ଛୁଟିକୁ ମଧ୍ୟ ବାତିଲ କରାଯାଇ ସଜାଗ ରହିବା ପାଇଁ ନିର୍ଦେଶନାମା ଜାରି କରାଯାଇଛି । ସମ୍ଭାବ ବାତ୍ୟାକୁ ଦୃଷ୍ଟିରେ ରଖି ଦରଦାମ ବୃଦ୍ଧି ଉପରେ ତୁରନ୍ତ ପଦକ୍ଷେପ ପାଇଁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)