୨୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆସନ୍ତା ୪ଦିନ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।

ପାର୍ବଣରେ ବର୍ଷା ହେବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା । ହେଲେ ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଦୁର୍ଗାପୂଜାରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ତେବେ ବର୍ଷା ପରିମାଣ ସଂକ୍ରାନ୍ତରେ କୌଣସି ସ୍ପଷ୍ଟଚିତ୍ର ମିଳି ନ ଥିଲେ ମଧ୍ୟ ଲଘୁଚାପ ଖବର ପାଇବା ପରେ ଦୁର୍ଗାପୂଜା ଆୟୋଜକଙ୍କ ମନରେ ଛନକା ପଶିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଓଡ଼ିଶାରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ମୌସୁମୀ ପାଇଁ ଆସନ୍ତା ୪ଦିନ ରାଜ୍ୟରେ କେତେକ ସ୍ଥାନରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନ ବହିବା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

ଶନିବାର ରାଜ୍ୟର ୨୦ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା, ପବନ ଓ ବଜ୍ରପାତ ହେବା ନେଇ ୟ୍ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୧ ଓ ୨୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଝଟକାପବନ ବହିବା ସହିତ ବଜ୍ରପାତ ସମ୍ଭାବନା ରହିଛି । ୨୦ରୁ ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ୟ୍ୟୋଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ଆଗକୁ ବର୍ଷା ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)