ଅକ୍ଷର ବ୍ୟୁରୋ: ଆଜିଠୁ ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏଁ ସ୍କୁଲ୍, କଲେଜ୍ ଛୁଟି ଘୋଷଣା । ଆସନ୍ତା ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ୍ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ପରୀକ୍ଷାଗୁଡ଼ିକ ବନ୍ଦ ହେବ ନାହିଁ । ପରୀକ୍ଷାଗୁଡ଼ିକୁ ସକାଳ ସମୟରେ କରାଯାଇପାରିବ । ସେହିପରି ଶିକ୍ଷାନୁଷ୍ଠାନମାନଙ୍କୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଗରମରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗତକାଲିଠୁ ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ପାଇଁ ଘୋଷଣା ହୋଇଛି । ସ୍କୁଲ, କଲେଜ ସହ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ । ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ସୁବର୍ଣ୍ଣପୁର ଜିଲ୍ଲାରେ ବି ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନ ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ଯାଏଁ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ଯାଏ ତାତିରୁ ନିସ୍ତାର ମିଳିବନି । ଏହା ମଧ୍ୟରେ ପାରଦ ଦିନକୁ ଦିନ ଉପରମୁହାଁ ହେବ । ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀଂ ଛୁଇଁଛି । ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ତାପମାତ୍ର ୪୫ ଡିଗ୍ରୀରେ ପହଞ୍ଚିଛି । ଏହା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେଣୁ ବିଭିନ୍ନ ଜିଲ୍ଲାରେ ସ୍କୁଲ,କଲେଜକୁ ଛୁଟି ଘୋଷଣା କରାଯାଇଛି ।












Leave a Reply