ଅକ୍ଷର ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ମଧ୍ୟ ରାଜ୍ୟର ପ୍ରାୟ ଅଧା ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଢେଙ୍କାନାଳ ସମେତ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଆସନ୍ତାକାଲି, ସେପ୍ଟେମ୍ବର ୨ ତାରିଖ ପାଇଁ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଆଗକୁ ମଧ୍ୟ ବର୍ଷାର ପ୍ରଭାବ ରହିବା ନେଇ ଆକଳନ କରାଯାଉଛି।
ଏପଟେ ରାଜ୍ୟରେ ମୌସୁମୀ ବର୍ଷାକୁ ନେଇ ଆସିଛି ବଡ଼ ତଥ୍ୟ। ସେପ୍ଟେମ୍ବର ଶେଷ ସୁଦ୍ଧା ଯେତିକି ସ୍ୱାଭାବିକ ବର୍ଷା ହେବାର ଥିଲା, ତାହାର କୋଟା ଅଗଷ୍ଟ ଶେଷ ସୁଦ୍ଧା ହିଁ ପୂରଣ ହୋଇଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା ରେକର୍ଡ ହୋଇଛି। ଯେତେବେଳେ କି ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟର ସ୍ୱାଭାବିକ ମୌସୁମୀ ବର୍ଷା ପରିମାଣ ୧୧୫୦.୨ ମିଲିମିଟର।
ଅର୍ଥାତ୍, ସେପ୍ଟେମ୍ବର ମାସ ଆରମ୍ଭ ହେବା ପୂର୍ବରୁ ହିଁ ରାଜ୍ୟର ସ୍ୱାଭାବିକ ମୌସୁମୀ ବର୍ଷା ପରିମାଣକୁ ଅତିକ୍ରମ କରିସାରିଛି ବର୍ଷା। ସ୍ୱାଭାବିକ ପରିମାଣଠାରୁ ପ୍ରାୟ ୪.୧ ମିଲିମିଟର ଅଧିକ ବର୍ଷା ଅଗଷ୍ଟ ୩୧ ସୁଦ୍ଧା ରେକର୍ଡ ହୋଇଛି। ଲଘୁଚାପ ପ୍ରଭାବରେ ପୁଣି ବର୍ଷା ଜାରି ରହିଥିବାରୁ ଆଗକୁ ବର୍ଷା ପରିମାଣ ଆହୁରି ବଢ଼ିପାରେ। ବିଶେଷକରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ପାଣିପାଗ ସ୍ଥିତି ଉପରେ ନଜର ରଖାଯାଉଛି।












Leave a Reply