SCB ଟଙ୍କା ହେରଫେର୍‌ର ଖୋଲୁଛି ଗୁମର: ୧୦ ବର୍ଷରେ ୨୦୭ ବିଲ୍‌ରେ ଗଡ଼ବଡ଼!

କଟକ: କଟକ ଏସ୍‌ସିବି ବଡ଼ ମେଡିକାଲ୍‌ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର୍‌ ଘଟଣାର ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ମାମଲାରେ ଗିରଫ ଡାଟା ଏଣ୍ଟ୍ରି ଅପରେଟର୍‌ ଦିନେଶ କୁମାର ରାଉତଙ୍କୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଥିବା ବେଳେ ଗତ କିଛି ବର୍ଷରେ ପ୍ରସ୍ତୁତ ହୋଇଥିବା ଅନେକ ବିଲ୍‌ରେ ହେରଫେର୍‌ ହୋଇଥିବା ତଥ୍ୟ ପୁଲିସ ହାତରେ ଲାଗିଛି।

ସୂଚନା ଅନୁସାରେ, ୨୦୧୬ରୁ ୨୦୨୬ ଯାଏଁ ୧୦ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ୪୦ ହଜାର ଦରମା ବିଲ୍‌ ପ୍ରସ୍ତୁତ ହୋଇଛି। ଏହି ବିଲ୍‌ଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦୭ଟି ବିଲ୍‌ରେ ହେରଫେର୍‌ ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅର୍ଥାତ୍ ହାରାହାରି ଭାବେ ପ୍ରତିବର୍ଷ ପ୍ରାୟ ୨୦ଟି ବିଲ୍‌ରେ ଅନିୟମିତତା ହୋଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ମାମଲାର ଗମ୍ଭୀରତାକୁ ଦେଖି ଏସ୍‌ସିବିର ଆର୍ଥିକ କାରବାରକୁ ନେଇ ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତ୍ତି ନେଇଛି। ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ଟିମ୍‌ ଏସ୍‌ସିବିରେ ପହଞ୍ଚି ଅଡିଟ୍‌ ଆରମ୍ଭ କରିବେ।

୨୦୧୬-୧୭ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ କାରବାର ଓ ବିଲ୍‌ଗୁଡ଼ିକର ଯାଞ୍ଚ କରାଯିବ। ଅଡିଟ୍‌ ସମ୍ପୂର୍ଣ୍ଣ ହେବା ପରେ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହେବ। ଏହା ପରେ ଅଡିଟ୍‌ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ଏସ୍‌ସିବିରେ କର୍ମଚାରୀଙ୍କ ଟଙ୍କା ହେରଫେର୍‌ ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଦୀନେଶ କୁମାର ରାଉତଙ୍କୁ ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି। ମଙ୍ଗଳାବାଗ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଏବେ ମାମଲାର ବିଭିନ୍ନ ଦିଗ ନେଇ ତଦନ୍ତ ଜାରି ରହିଛି।

ବିଶେଷକରି ଗତ ୧୦ ବର୍ଷର ବିଲ୍‌ ପ୍ରସ୍ତୁତି, ଟଙ୍କା ହେରଫେର୍‌ର ପ୍ରକ୍ରିୟା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର୍‌ରୁ ଆରମ୍ଭ ହୋଇଥିବା ଏହି ମାମଲା ଏବେ ୧୦ ବର୍ଷର ଆର୍ଥିକ କାରବାର ଯାଞ୍ଚ ଆଡ଼କୁ ମୁହାଁଇଥିବାରୁ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ବଢ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial