ଗଞ୍ଜେଇ ଚାଷକୁ ସାର ଯୋଗାଣରେ ବଡ଼ ରାକେଟ୍‌! ବାଲିଗୁଡ଼ାରେ ୩୫ ଟନ୍ DAP ଜବତ

କନ୍ଧମାଳ: ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଆକ୍ସନ୍ ମୋଡ୍‌କୁ ଆସିଛି କନ୍ଧମାଳ ପୁଲିସ । ବାଲିଗୁଡ଼ା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ କରି ପୁଲିସ ପ୍ରାୟ ୩୫ ଟନ୍ ଅନଧିକୃତ DAP ସାର ଜବତ କରିଛି । ଜବତ ସାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି । ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ବାଲିଗୁଡ଼ା ସହରର ମଧ୍ୟଭାଗରେ ଥିବା ‘ମା’ ସାବିତ୍ରୀ ଆଗ୍ରୋ ଏଜେନ୍ସି’ର ଗୋଦାମ ଉପରେ ପୁଲିସ ହଠାତ୍ ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ଗୋଦାମରେ ବିପୁଳ ପରିମାଣର DAP ସାର ଗଚ୍ଛିତ ଥିବା ଜଣାପଡ଼ିବା ପରେ ପୁଲିସ ଏହାକୁ ଜବତ କରିଛି ।

ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଜବତ ସାରକୁ ବେଆଇନ ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ସଂପୃକ୍ତ ଆଗ୍ରୋ ଏଜେନ୍ସି ମାଲିକ ଏବଂ ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ତେବେ ଏହି ସାର କେଉଁଠାରୁ ଆସିଥିଲା, ଏହା କାହାକୁ ଯୋଗାଣ ହେବାର ଥିଲା ଏବଂ ଏହି କାରବାର ପଛରେ ଆଉ କାହାର ସଂପୃକ୍ତି ରହିଛି—ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ବେଆଇନ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଏଭଳି ବଡ଼ ଧରଣର ଚଢ଼ାଉ ଏବେ କନ୍ଧମାଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial