ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳରେ ଭାଲୁ ଆତଙ୍କ; ଖାଦ୍ୟ ଅଭାବ ଯୋଗୁଁ ବାରମ୍ବାର ଗାଁ ମୁହାଁ ହେଉଛି ଭାଲୁ ।

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳରେ ବୁଲୁଛି ଭାଲୁ । କପ୍ତିପଦା ବନାଞ୍ଚଳ ଅନ୍ତର୍ଗତ ବୈରାଟପୁର ଗାଁ ଦାଣ୍ଡରେ ରାତି ତମାମ ବୁଲୁଛି ବିଶାଳକାୟ ଭାଲୁ । ଯାହାକୁ ନେଇ ଭୟଭୀତ ଗାଁଲୋକ । ଗତ କିଛି ଦିନ ହେଲା ରାତି ହେଲେ ଗାଁ ଭିତରକୁ ପଶି ଆସୁଛି ଏହି ବିଶାଳକାୟ ଭାଲୁ । କେବେ ଘର ଆଗରେ ତ କେବେ ଗାଁ ରାସ୍ତାରେ ଘୂରି ବୁଲୁଥିବାରୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଭାଲୁର ଏହି ଚଳାଚଳ ଦେଖି ଗ୍ରାମବାସୀ ଏବେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବିଶେଷକରି ଛୋଟ ପିଲା ଓ ବୃଦ୍ଧଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଯାଇଛି । ଭାଲୁଟି ଗାଁ ଭିତରେ ବୁଲୁଥିବା ସମୟର ଦୃଶ୍ୟ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ରାତି ଅନ୍ଧାରରେ ଭାଲୁଟି ଧୀରେ ଧୀରେ ଗାଁ ଦାଣ୍ଡରେ ଚାଲିବା ସହ ଘର ପାଖରେ ବୁଲୁଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଭାଲୁଟି ବାରମ୍ବାର ଗାଁ ମୁହାଁ ହେଉଛି । କେତେବେଳେ ଘର ପାଖରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ଘ୍ରାଣ ପାଇ ଗାଁକୁ ପସି ଆସୁଥିବା ସନ୍ଦେହ କରାଯାଉଛି । ରାତି ସାରା ଭାଲୁ ବୁଲୁଥିବାରୁ ଲୋକେ ଭୟରେ ଜାଗି ରହୁଛନ୍ତି । ଏହି ଘଟଣା ପରେ ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଭାଲୁଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ପହଞ୍ଚାଇବା ସହ ଗାଁରେ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି । ତେବେ କିଛି ଦିନ ପୂର୍ବରୁ ଏହି ଗାଁ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଡାଗୱେଲରେ ଭାଲୁଟିଏ ପଡ଼ିଥିବା ବେଳେ ତାହାକୁ ସେଠାରୁ ବାହାର କରି ବୈରାଟପୁର ଗ୍ରାମ ନିକଟ ହୁଡ଼ିରେ ଛାଡି ଦିଆଯାଇଥିଲା । ଉକ୍ତ ଭାଲୁଟି ଏବେ ଗ୍ରାମରେ ଆତଙ୍କ ଖେଳାଇଥିବା ଜଣାପଡିଛି । 
 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)