ସୋନ ନଦୀରେ ଗାଧୋଇବା ବେଳେ ବୁଡ଼ି ୨ ନାବାଳକ ମୃତ ; ଅଳ୍ପକେ ବର୍ତ୍ତିଲା ଆଉ ଜଣେ ନାବାଳକ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଦେଇ ପ୍ରବାହିତ ସୋନ ନଦୀରେ ଗା‌ଧୋଇବାବେଳେ ବୁଡ଼ି ୨ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରୁ ଜଣେ ନାବାଳକ ବର୍ତ୍ତି ଯାଇଛି। ମୃତ ଦୁଇ ଜଣ ହେଲେ ଆକାଶ ମହାଳିକ (୧୨) ଏବଂ କାର୍ତ୍ତିକ ବେହେରା (୧୨)। ତେବେ ଆକାଶର ବଡ଼ଭାଇ ଦୀପକ ଅଘଟଣରୁ ବର୍ତ୍ତି ଯାଇଛି।

ସୂଚାନୁଯାୟୀ, ଆଜି ଦିନ ପ୍ରାୟ ୧୨ଟାରେ ନୀଳଗିରି ଥାନା ଅଧୀନସ୍ଥ ପୁନ୍ଦାଳ ଗାଁର ଲଷ୍ମୀଧର ମହାଳିକଙ୍କ ବଡ଼ପୁଅ ଦୀପକ ଏବଂ ସାନ ପୁତ୍ର ଆକାଶଙ୍କ ସହିତ ସେହି ଗାଁର ପ୍ରଦୀପ ବେହେରାଙ୍କ ପୁଅ କାର୍ତ୍ତିକ ଗାଁ ନିକଟ ଦେଇ ପ୍ରବାହିତ ସୋନ ନଦୀର ମନ୍ଦିର ଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତା ହେତୁ ପ୍ରଥମେ ଆକାଶ ପାଣିରେ ବୁଡ଼ି ଯାଉଥିଲା ବେଳେ କାର୍ତ୍ତିକ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଏହା ଦେଖି ଆକାଶର ବଡ଼ଭାଇ ଦୀପକ ପାଟି କରି ଗାଁ ଲୋକଙ୍କୁ ଡାକିଥିଲା। ଗାଁ ଲୋକେ ଉକ୍ତ ଗଣ୍ଡରୁ ୨ନାବାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେମୁଣାସ୍ଥିତ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ୨ନାବାଳକଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)