ଅକ୍ଷର ବ୍ୟୁରୋ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଚୁରାହ ଉପମଣ୍ଡଳର ନକରୋଡ–ହିମଗିରି ରାସ୍ତାରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସି ନଦୀରେ ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଡ୍ୟାମ ସାଇଡ୍ ନିକଟରେ ଅନ୍ଧାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। କାର୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାରୁ ଖାଇକୁ ଖସି ସିଧାସଳଖ ତଳେ ଥିବା ନଦୀରେ ପଡ଼ିଯାଇଥିଲା। ରାତି ହୋଇଥିବାରୁ ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ସକାଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ପ୍ରଶାସନକୁ ସୂଚନା ଦେବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକମାନେ ଚୁରାହ ଉପମଣ୍ଡଳର ଗ୍ରାମ ପଞ୍ଚାୟତ ଟିକରୀଗଡ଼ର ବାସିନ୍ଦା ଥିଲେ। ପୋଲିସ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ମୃତଦେହଗୁଡ଼ିକୁ ପରିବାର ଲୋକଙ୍କ ନିକଟକୁ ହସ୍ତାନ୍ତର କରିଛି। ସେହିସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।












Leave a Reply