କାଶୀ ଦର୍ଶନ ସାରି ଫେରୁଥିବା ବେଳେ କାଳ ହେଲା ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା କାର୍, ସ୍ୱାମୀ-ସ୍ତ୍ରୀ ମୃତ

ଅକ୍ଷର ବ୍ୟୁରୋ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାର୍ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛପଟୁ ଜୋରଦାର ଧକ୍କା ଦେବାରୁ କାର୍‌ରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତେ ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ବାସିନ୍ଦା। ସେମାନେ ପରିବାର ସହ ବାରାଣସୀରେ ବାବା କାଶୀ ବିଶ୍ୱନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଫେରିବା ବାଟରେ ମିର୍ଜାପୁରର ଡ୍ରମଣ୍ଡଗଞ୍ଜ ଥାନା ଅଧୀନ ଲହୁରିୟାଦହ ଗାଁ ନିକଟରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଅନ୍ଧାର ଓ ଦ୍ରୁତ ଗତି କାରଣରୁ ଚାଳକ ରାସ୍ତା କଡ଼ରେ ଠିଆ ଥିବା ଟ୍ରକ୍‌କୁ ଠିକ୍ ସମୟରେ ଦେଖିପାରିନଥିଲେ, ଫଳରେ କାର୍‌ଟି ସିଧାସଳଖ ଟ୍ରକ୍‌ର ପଛପଟେ ପିଟି ହୋଇଯାଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା। କାର୍‌ରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୁଲିସ ଟ୍ରକ୍‌କୁ ଜବତ କରିଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ଫେରାର ଚାଳକଙ୍କୁ ଧରିବା ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)