ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ଧକ୍କା ଦେବାରୁ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନଟି ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ଜୋରଦାର ଭାବେ ପିଟି ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଭ୍ୟାନର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା ଏବଂ ଚାଳକ ଓ ହେଲପର ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ କଟର୍ ମେସିନ୍ ସାହାଯ୍ୟରେ ପିକଅପ୍ ଭ୍ୟାନକୁ କାଟି ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାହାର କରିଥିଲେ। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ପଠାଯାଇଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇଜଣ ହେଲେ ପିକଅପ୍ ଭ୍ୟାନର ଚାଳକ ଓ ହେଲପର ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବ୍ୟାହତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଅସାବଧାନତା ଓ ଦୃଷ୍ଟି ଅଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।













Leave a Reply