ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଖୁବଶୀଘ୍ର ବଦଳିବ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ପାଇଁ ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଏଥିପାଇଁ ବିଶେଷଜ୍ଞ ଟିମ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସପ୍ତାହକ ମଧ୍ୟରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇପାରେ । ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ଭକ୍ତମାନେ ସାତପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହାପରେ ନିର୍ଦ୍ଦିଷ୍ଟ ପଥ ଦେଇ ଆଗକୁ ବଢ଼ି ମହାପ୍ରଭୁଙ୍କ ଦର୍ଶନ କରିବେ ଏବଂ ନିର୍ଦ୍ଦିଷ୍ଟ ପଥ ଦେଇ ମନ୍ଦିରରୁ ବାହାରିବେ । ଫଳରେ ମନ୍ଦିର ଭିତରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ସହଜ ହେବ । ନାଟମଣ୍ଡପ ଓ ଜଗମୋହନ ଅଞ୍ଚଳରେ ୫ରୁ ୬ଟି ସ୍ୱତନ୍ତ୍ର ଧାଡ଼ି କିମ୍ବା ରାମ୍ପ ନିର୍ମାଣ କରାଯିବା ଯୋଜନା ରହିଛି । ଏହି ରାମ୍ପ ମାଧ୍ୟମରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଆଗକୁ ବଢ଼ି ଦୂରରୁ ମହାପ୍ରଭୁଙ୍କୁ ସ୍ପଷ୍ଟ ଦର୍ଶନ କରିପାରିବେ । ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଗୋଟିଏ ଘଣ୍ଟାରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ । ଭିଡ଼ ଏକାଠି ନହୋଇ ନିର୍ଦ୍ଦିଷ୍ଟ ଧାଡ଼ିରେ ଭକ୍ତଙ୍କୁ ଆଗକୁ ନିଆଯିବ । ଏହାଦ୍ୱାରା ଦର୍ଶନ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ଭିଡ଼ଜନିତ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ନୂଆ ବ୍ୟବସ୍ଥାରେ ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଓ ସୁରକ୍ଷିତ ଧାଡ଼ି କରାଯିବାକୁ ଯୋଜନା ରହିଛି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବା ନେଇ ମଧ୍ୟ ଯୋଜନା ହୋଇଛି । ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ IIT ଭୁବନେଶ୍ୱରର ବିଶେଷଜ୍ଞମାନେ ବିଭିନ୍ନ ମଡେଲ୍ ଉପସ୍ଥାପନ କରିଥିଲେ । ସେଥିରୁ ସର୍ବୋତ୍ତମ ମଡେଲ୍କୁ ଚୟନ କରାଯାଇଛି । ଏହାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯିବ, ସେନେଇ ମଧ୍ୟ ଆଲୋଚନା ହୋଇଛି ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସପ୍ତାହକ ମଧ୍ୟରେ ପାଇଲଟ୍ ପ୍ରକଳ୍ପ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ । ପାଇଲଟ୍ ମଡେଲ୍କୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରିବେ । ଏହାର ସଫଳତା ଓ ଆବଶ୍ୟକ ପରିବର୍ତ୍ତନ ଅନୁଧ୍ୟାନ ପରେ ପରବର୍ତ୍ତୀ ୩ରୁ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି । ତେବେ ହୁଣ୍ଡି ସ୍ଥାନାନ୍ତର ଏବଂ ଆବଶ୍ୟକ ଏସ୍ଓପି ଚୂଡ଼ାନ୍ତ ହେବା ପରେ ହିଁ ଏହି ବ୍ୟବସ୍ଥା ପୂର୍ଣ୍ଣ ଭାବେ ଲାଗୁ ହେବ । ଭକ୍ତଙ୍କ ଭିଡ଼ କମାଇ ଅଧିକ ସୁବିଧାଜନକ, ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଶ୍ରୀମନ୍ଦିରରେ ଏହି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଏକ ବଡ଼ ପଦକ୍ଷେପ ହେବାକୁ ଯାଉଛି ।












Leave a Reply