ଅକ୍ଷର ବ୍ୟୁରୋ: ଡଙ୍ଗାରେ ଚଢ଼ିବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର! କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଖରସ୍ରୋତା ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ବ୍ୟକ୍ତି ହେଲେ ପରେଶ୍ୱର ବେହେରା ।
ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । ଏହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣା ପରେ ନଦୀକୂଳ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୃଦ୍ଧଙ୍କ ସମ୍ପର୍କରେ ଖବର ମିଳିବା ପରେ ପରିବାର ଲୋକ ଓ ସ୍ଥାନୀୟମାନେ ଚିନ୍ତାରେ ପଡ଼ିଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜ ପରେଶ୍ୱର ବେହେରାଙ୍କ ସନ୍ଧାନ ପାଇଁ ନଦୀରେ ସର୍ଚ୍ଚ ଅପରେସନ୍ ଚାଲିଛି । ଉଦ୍ଧାରକାରୀ ଦଳ ପକ୍ଷରୁ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି । ଏହି ଘଟଣା ପରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି । ନଦୀ ପାରାପାର ସମୟରେ ଲୋକଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ପରେଶ୍ୱର ବେହେରାଙ୍କ ସନ୍ଧାନ ଓ ଘଟଣାର ପ୍ରକୃତ କାରଣ ନେଇ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି ।












Leave a Reply