ଫୁଲୁଛି ମହାନଦୀ, ବଢ଼ୁଛି ହୀରାକୁଦ ଜଳସ୍ତର! ୧୬ ଗେଟ୍‌ ଦେଇ ଛାଡ଼ାଯାଉଛି ବନ୍ୟାଜଳ

ଅକ୍ଷର ବ୍ୟୁରୋ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ଅବିରତ ଭାବେ ବଢ଼ୁଥିବା ଜଳପ୍ରବେଶକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ଗେଟ୍‌ ଖୋଲାଯାଇ ବନ୍ୟାଜଳ ମହାନଦୀକୁ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦର ୧୬ଟି ଗେଟ୍‌ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୧ଟି ଏବଂ ଡାହାଣ ପାର୍ଶ୍ୱର ୫ଟି ଗେଟ୍‌, ମୋଟ ୧୬ଟି ଗେଟ୍‌ ଖୋଲାଯାଇଛି । ଏହି ଗେଟ୍‌ଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୮୮ ହଜାର ୯୭୮ କ୍ୟୁସେକ୍‌ ଜଳ ମହାନଦୀକୁ ନିଷ୍କାସିତ ହେଉଛି ।

ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୫ ହଜାର ୮୪୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଜଳପ୍ରବେଶ ଓ ନିଷ୍କାସନ ଉପରେ ନଜର ରଖି ଗେଟ୍‌ ପରିଚାଳନା କରାଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୮୭ ଫୁଟ୍‌ ରହିଛି । ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷାର ପାଣି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବାରୁ ଜଳସ୍ତର ବୃଦ୍ଧି ପାଉଛି ।

ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ବର୍ଷାର ପାଣି ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଫଳରେ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି । ଉପରମୁଣ୍ଡରୁ ଆସୁଥିବା ଜଳ ଏବଂ ହୀରାକୁଦରୁ ନିଷ୍କାସିତ ହେଉଥିବା ଜଳ ଯୋଗୁଁ ଏବେ ମହାନଦୀର ଜଳସ୍ଥିତି ଉପରେ ନଜର ରଖାଯାଉଛି । ଆଗକୁ ଉପରମୁଣ୍ଡରେ ବର୍ଷାର ପରିମାଣ ଓ ଜଳଭଣ୍ଡାରକୁ ଜଳପ୍ରବେଶ ଅନୁସାରେ ଆହୁରି ଗେଟ୍‌ ଖୋଲିବା କିମ୍ବା ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial