ଅକ୍ଷର ବ୍ୟୁରୋ: ବାରହା ଆକ୍ରମଣରୁ ନିଜ ଜୀବନ ବଞ୍ଚାଇ ସାହସର ପରିଚୟ ଦେଇଛି ବାଙ୍କୀର ଜଣେ ୧୫ ବର୍ଷୀୟ ବାଳକ । ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଏହି ନାବାଳକଙ୍କ ସାହସିକତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବାରହା ଆକ୍ରମଣ କରିବା ପରେ ଭୟଭୀତ ନହୋଇ ଦୀର୍ଘ ସମୟ ଧରି ପ୍ରତିରୋଧ କରି ନାବାଳକ ନିଜ ଜୀବନ ରକ୍ଷା କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ନାବାଳକ ଜଣକ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ଅଚାନକ ଆକ୍ରମଣରେ ଭୟଭୀତ ନହୋଇ ବାଳକ ଜଣକ ସାହସର ସହ ବାରହାକୁ ପ୍ରତିରୋଧ କରିଥିଲେ । ଦୀର୍ଘ ସମୟ ଧରି ସଂଘର୍ଷ କରିବା ସହ ସେ ଚିତ୍କାର କରି ସହାୟତା ପାଇଁ ଡାକିଥିଲେ । ବାଳକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ବାରହାକୁ କାବୁ କରିବା ସମ୍ଭବ ହୋଇନଥିଲା । ଫଳରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାରହାକୁ କାବୁ କରିବା ସହ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଆକ୍ରମଣରେ ଆହତ ହୋଇଥିବା ବାଳକଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାରହା ଆକ୍ରମଣ ସମୟରେ ନାବାଳକ ଜଣକ ସାହସ ଜୁଟାଇ ପ୍ରତିରୋଧ କରିବା ସହ ପାଣି ଭିତରେ ରହିଥିବା ଜଣାପଡ଼ିଛି । ତାଙ୍କର ସାହସିକତାକୁ ନେଇ ଗୋପାଳପୁର ସମେତ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି । ଅନ୍ୟପଟେ, ଅଞ୍ଚଳରେ ବାରହା ଚଳପ୍ରଚଳକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।












Leave a Reply