ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ବେଲପଡ଼ା: ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ବେଲପଡ଼ା ଥାନା ଅନ୍ତର୍ଗତ ନୁହାଣ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ନୁହାଣ ଗାଁର ଧର୍ମୁ ନାଏକ । ସୂଚନା ଅନୁସାରେ, ଆଜି ସକାଳୁ ଧର୍ମୁ ନିଜ କ୍ଷେତକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଦନ୍ତା ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା । ହାତୀଟି ଧର୍ମୁଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ଧର୍ମୁଙ୍କୁ ତୁରନ୍ତ ବେଲପଡ଼ା ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧର୍ମୁଙ୍କ ମୃତ୍ୟୁ ପରେ ନୁହାଣ ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହାତୀ ଆକ୍ରମଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ହାତୀର ଗତିବିଧି ସମ୍ପର୍କରେ ବନ ବିଭାଗ ପକ୍ଷରୁ ଆବଶ୍ୟକ ସତର୍କତା ଓ ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ହାତୀଟି କେଉଁଠାରୁ ଆସିଥିଲା, ଏହାର ଗତିବିଧି ନେଇ ପୂର୍ବରୁ ବନ ବିଭାଗକୁ ସୂଚନା ଥିଲା କି ନାହିଁ ଏବଂ ହାତୀ ଉପଦ୍ରବ ରୋକିବା ପାଇଁ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଥିଲା—ସେନେଇ ପ୍ରଶ୍ନ ଉଠିଛି । ଘଟଣା ପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial