କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆଳି-ଭୂଇଁପୁର ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ । ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଏଣ୍ଡୋଳ ଗାଁର ରାକେଶ ମଲ୍ଲିକ ଜଣେ ସାଙ୍ଗଙ୍କ ସହ ଧଳ ଗାଁରୁ ଆଳି ବଜାର ଅଭିମୁଖେ ବାଇକ୍ରେ ଆସୁଥିଲେ । ତେବେ ଆଳି-ଭୂଇଁପୁର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା ।
ଧକ୍କା ଏତେ ଜୋରଦାର ଥିଲା ଯେ ରାକେଶ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣା ପରେ ଏଣ୍ଡୋଳ ଗାଁରେ ଶୋକର ଛାୟା ଖେଳିଯାଇଛି । ଦୁଇ ବାଇକ୍ର ମୁହାଁମୁହିଁ ଧକ୍କାରେ ଜଣେ ନାବାଳକଙ୍କ ଜୀବନ ଚାଲିଯିବା ଘଟଣା ପୁଣିଥରେ ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ବଢ଼ୁଥିବା ବେଳେ ଏଭଳି ଘଟଣା ରୋକିବାକୁ ସଚେତନତା ଓ ସୁରକ୍ଷିତ ଗାଡ଼ି ଚାଳନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ପୁଣି ସାମ୍ନାକୁ ଆସିଛି ।












Leave a Reply