ପୁରୀ: ପୁରୀ ବଳିଆପଣ୍ଡା ଅଞ୍ଚଳରେ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ତାତି। ବଳିଆପଣ୍ଡା ପାର୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡ଼ି ଧକ୍କା ଦେବା ସହ ତାଙ୍କ ଉପରେ ମାଡ଼ିଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ପୁରୀ ଗୌଡ଼ବାଡ଼ ସାହିର ୪୩ ବର୍ଷୀୟ କାମଦେବ ଆପଟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାଟି ହିଟ୍ ଆଣ୍ଡ ରନ୍ ଭଳି ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୁଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରଙ୍କ ସମେତ ଗାଡ଼ିରେ ଥିବା ଅନ୍ୟମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଝାଡ଼ଖଣ୍ଡର। ଗାଡ଼ିରେ ସ୍ଥାୟୀ ପଞ୍ଜୀକରଣ ନମ୍ବର ବଦଳରେ ଅସ୍ଥାୟୀ ପଞ୍ଜୀକରଣ ନମ୍ବର ରହିଥିଲା। ନୂଆ ଗାଡ଼ି କିଣିବା ପରେ ସ୍ଥାୟୀ ନମ୍ବର ମିଳିବା ପୂର୍ବରୁ ଅସ୍ଥାୟୀ ନମ୍ବରରେ ଗାଡ଼ି ଚଳାଚଳ କରୁଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ନୂଆ ଗାଡ଼ି ନେଇ ଓଡ଼ିଶା ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏବେ ପୁଲିସ ଗାଡ଼ିର କାଗଜପତ୍ର, ଅସ୍ଥାୟୀ ପଞ୍ଜୀକରଣ ନମ୍ବର, ଚାଳକଙ୍କ ଭୂମିକା ଓ ଦୁର୍ଘଟଣାର ପ୍ରକୃତ କାରଣ ଯାଞ୍ଚ କରୁଛି। ଅନ୍ୟପଟେ, ଗୁରୁତର କାମଦେବ ଆପଟଙ୍କ ଚିକିତ୍ସା ଜାରି ରହିଛି। ପୁଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ ଚିତ୍ର ଓ ଦାୟୀ ବ୍ୟକ୍ତିଙ୍କ ଭୂମିକା ସ୍ପଷ୍ଟ ହେବ।












Leave a Reply