SCB ଟଙ୍କା ହେରଫେର୍ ମାମଲା: ମାଷ୍ଟରମାଇଣ୍ଡ ଗିରଫ ପରେ ବ୍ୟାଙ୍କ ଆକାଉଣ୍ଟ ଉପରେ ପୁଲିସର ନଜର

କଟକ: ଏସ୍‌ସିବି ମେଡିକାଲ୍‌ରେ ₹୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର୍ ଘଟଣାରେ ପୁଲିସର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। ମଙ୍ଗଳାବାଗ ଥାନା ପୁଲିସ ମାମଲାର କଥିତ ମାଷ୍ଟରମାଇଣ୍ଡ ଡାଟା ଏଣ୍ଟ୍ରି ଅପରେଟର୍‌ (DEO) ଦୀନେଶ ରାଉତଙ୍କୁ ଗିରଫ କରିବା ପରେ ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ଫୋକସ୍ କରିଛି। ତଦନ୍ତରେ ଆଗକୁ ବଢ଼ି ମଙ୍ଗଳାବାଗ ଥାନା ପୁଲିସ ଦୀନେଶଙ୍କ ସହ ସମ୍ପୃକ୍ତ ୪ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ସୂଚନା ମିଳିଛି। ଏହି ଆକାଉଣ୍ଟଗୁଡ଼ିକ ଏସ୍‌ବିଆଇ, ଆକ୍ସିସ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାନାଡ଼ା ବ୍ୟାଙ୍କରେ ଥିବା ଜଣାପଡ଼ିଛି। ପୁଲିସର ଆକ୍ସନ୍ ପରେ ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଥିବା ମୋଟ ₹୧ ଲକ୍ଷ ୮୩ ହଜାର ଟଙ୍କା ଫ୍ରିଜ୍ କରାଯାଇଛି। ହେରଫେର୍ ହୋଇଥିବା ବିପୁଳ ଟଙ୍କାର ଗତିବିଧି ଓ ଏହା ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

ଅନ୍ୟପଟେ, ଗିରଫ ଦୀନେଶ ରାଉତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ଯୋଜନା କରୁଛି। ରିମାଣ୍ଡ ସମୟରେ ହେରଫେର୍ ଘଟଣାର ପୂରା ନେଟୱର୍କ, ଟଙ୍କା କାରବାର ଓ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ଉଦ୍ୟମ କରିବ। ୧.୪୦ କୋଟି ଟଙ୍କା ହେରଫେର୍ ଭଳି ଗୁରୁତର ଅଭିଯୋଗ ଥିବାରୁ ଏହି ମାମଲାରେ ଆଗକୁ ଆହୁରି ବଡ଼ ଖୁଲାସା ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial