ଅକ୍ଷର ବ୍ୟୁରୋ: କଟକ ଏସସିବିରେ ନିମ୍ନ ଧରଣର ଅଘଟଣ । ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କୁ ବିଳମ୍ବିତ ରାତିରେ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଆଉଟସୋର୍ସିଂ ଘରୋଇ ସଂସ୍ଥା ପକ୍ଷରୁ ନିୟୋଜିତ ବେର୍ଡ ଆଟେଣ୍ଡାଣ୍ଟ ନିଜକୁ ଡାକ୍ତର ପରିଚୟ ଦେଇ ଯୁବତୀଙ୍କୁ ରାତିରେ ଅସଦାଚରଣ କରିଛି । ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛି ମାଛୁଆ ବଜାରରେ ଭଡ଼ା ଘର ନେଇ ରହୁଥିବା ଯାଜପୁରଜିଲ୍ଲା କୋରେଇର ମାନସ ରଞ୍ଜନ ପତି(୨୫) ।
ସୂଚନା ଅନୁଯାୟୀ, କଟକ ବଡ଼ଡାକ୍ତରଖାନାର ୭ ନମ୍ବର ୟୁନିଟ୍ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗଲା ୧୫ ତାରିଖ ରାତିରେ ବେର୍ଡ ଆଟେଣ୍ଡାଣ୍ଟ ମାନସ ରଞ୍ଜନ ପତି ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରିଥିଲା । ସେଠାରେ ଏହି ମହିଳାଙ୍କୁ ଭର୍ତ୍ତି କରିବା ପରେ ବେଡ୍ ନଂ ୪୦ରେ ଢେଙ୍କାନାଳର ଜଣେ ୨୩ ବର୍ଷୀୟା ଯୁବତୀ ଗୁରୁତର ଅବସ୍ଥାରେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ଏହି ଯୁବତୀ ଜଣକ ବିଷ ଖାଇଦେଇଥିବାରୁ ସେଦିନ ରାତି ପ୍ରାୟ ୩ଟା ବେଳେ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣାରେ ଚିତ୍କାର କରିବାରୁ ସେଠାରେ ଥିବା ମାନସ ନିଜକୁ ଡାକ୍ତର ପରିଚୟ ଦେଇ ଯୁବତୀଙ୍କ ନିକଟକୁ ଯାଇ ସମ୍ବେଦନଶୀଳ ଅଙ୍ଗଗୁଡ଼ିକ ଛୁଇଁଥିଲା । ପୀଡ଼ିତା ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ସିସିକ୍ୟାମେରା ଫୁଟେଜ୍ ଆଧାରରେ ମାନସକୁ ଗିରଫ କରାଯାଇଥିବା ଆଇଆଇସି ଉମାକାନ୍ତ ସାହୁ କହିଛନ୍ତି ।












Leave a Reply