ଆସନ୍ତା ୯ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି; ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।

ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ତେବେ ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ କହୁଛି, ୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏନ୍‌ସିଇପି-ଜିଏଫ୍‌ଏସ୍‌ ମଡେଲ ମଧ୍ୟ ଏହି ଆକଳନକୁ ଦୋହରାଇଛି ।

ତେବେ ୧୦ ତାରିଖ ବେଳକୁ ଏହି ଲଘୁଚାପ ହେବ ବୋଲି ଭାରତ ଫୋରକାଷ୍ଟ ସିଷ୍ଟମ୍‌ ଓ ଏନସିୟୁଏମ୍‌ ସେମାନଙ୍କ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯ତାରିଖରୁ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ନିଜ ବିସ୍ତାରିତ ଆକଳନରେ ଦର୍ଶାଇଛି । ଆସନ୍ତା ୯ରୁ ୧୫ ତାରିଖ ଯାଏଁ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି ।​​​​​​​​​​​ଶନିବାର ସକାଳୁ ସନ୍ଧ୍ୟା ଭିତରେ ବଲାଙ୍ଗିରରେ ୨୫, ମାଲକାନଗିରିରେ ୧୬.୨, ପାରାଦୀପରେ ୧୧.୨ ମିମି ଯାଏ ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)