ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ; ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌ ।

ଅକ୍ଷର ବ୍ୟୁରୋ: ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା । ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌ । ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍‌-ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ । ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇଛି । ପ୍ରଶାସନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ।

ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ଦ୍ୱାରା ରେଜିଷ୍ଟ୍ରେସନ୍‌ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଯାହା ଫଳରେ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଆସିବ । ଏହି ସଂସ୍କାରମୂଳକ ପଦକ୍ଷେପ ଜରିଆରେ ଲୋକଙ୍କ ସରକାର ନିଜର ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରୁଛନ୍ତି । ଯାହାଦ୍ୱାରା ନାଗରିକମାନଙ୍କର ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ଅଧିକ ଦୃଢ଼ ହେବ । ଆଉ ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଅନଲାଇନରେ ସ୍ଲଟ୍ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ । ସର୍ବାଧିକ ମୟୁରଭଞ୍ଜରେ ୧୨, କୋରାପୁଟରେ ୭, ସମ୍ବଲପୁରରେ ୫, ଢେଙ୍କାନାଳରେ ୪ଟି, କନ୍ଧମାଳରେ ୩ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)