ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳର ୪ ଓଡିଆଙ୍କୁ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ୱକପ୍ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ଭାଗ ନେଇଥିଲେ । ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ୱ କରିଥିଲେ । ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଦଳର କୋଚ ଦେବାଶିଷ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)