ମହାକାଳେଶ୍ୱର ମନ୍ଦିରରେ ହଙ୍ଗାମା, ଭାଙ୍ଗିଲା ବ୍ୟାରିକେଡ୍‌!

ଅକ୍ଷର ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ହଙ୍ଗାମା । ବୁଧବାର ଅପରାହ୍ନରେ ମନ୍ଦିରର ନିର୍ଦ୍ଧାରିତ ଦର୍ଶନ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥାକୁ କିଛି ଲୋକ ଭାଙ୍ଗିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ କିଛି ଲୋକ ନନ୍ଦୀ ହଲ୍‌ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ଦେଖାଯାଉଛି ।

ମନ୍ଦିର ପରିଚାଳନା କମିଟିର ସୂଚନା ଅନୁସାରେ, କିଛି ଉପଦ୍ରବୀ ନନ୍ଦୀ ହଲ୍‌ରେ ଲାଗିଥିବା ବ୍ୟାରିକେଡିଂ ଭାଙ୍ଗି ଦେଇଥିଲେ । ଏହାସହ ମନ୍ଦିର ପରିସରରେ ଥିବା ଦାନବାକ୍ସଗୁଡ଼ିକୁ ମଧ୍ୟ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଭିଡ଼କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀ ଓ ପୁଲିସ ଉଦ୍ୟମ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ କିଛି ଲୋକଙ୍କୁ ଘଟଣାସ୍ଥଳରୁ ବାହାର କରାଯାଇଥିଲା । ତେବେ କିଛି ସମୟ ପରେ ଅନ୍ୟ କିଛି ଲୋକ ପୁଣି ଏକାଠି ହୋଇ ନନ୍ଦୀ ହଲ୍‌ ଆଡ଼କୁ ବଢ଼ିଥିବା ଭିଡିଓରେ ଦେଖାଯାଇଛି । ମନ୍ଦିର କମିଟିର ଅଭିଯୋଗ ଅନୁଯାୟୀ, ହଙ୍ଗାମା ସମୟରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ସହ ହାତାହାତି ଓ ମାରପିଟ ହୋଇଥିଲା । ଏଥିରେ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା କୁହାଯାଇଛି । ଘଟଣାକୁ ମନ୍ଦିର ପ୍ରଶାସନ ଗୁରୁତ୍ୱର ସହ ନେଇଛି ।

ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଧାର୍ମିକ ଆସ୍ଥାର ଆଳ ଦେଖାଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ସହ ଛେଡ଼ଛାଡ଼, ବ୍ୟାରିକେଡ୍‌ ଭାଙ୍ଗିବା, ମନ୍ଦିର ସମ୍ପତ୍ତି ନଷ୍ଟ କରିବା କିମ୍ବା ସୁରକ୍ଷାକର୍ମୀଙ୍କ ସହ ଦୁର୍ବ୍ୟବହାର କରିବାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି କମିଟି ସ୍ପଷ୍ଟ କରିଛି । ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ରଖିବାରେ ଭକ୍ତମାନେ ସହଯୋଗ କରିବାକୁ ପ୍ରଶାସନ ଅପିଲ୍‌ କରିଛି । ନିର୍ଦ୍ଧାରିତ ମାର୍ଗ ଓ ନିୟମ ମାନି ଶାନ୍ତିପୂର୍ଣ୍ଣ ଭାବେ ବାବା ମହାକାଳଙ୍କ ଦର୍ଶନ କରିବାକୁ ମଧ୍ୟ ଭକ୍ତଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial