ପାଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍‌-ଅଟୋ ଧକ୍କା, ୭ ମୃତ

ପାଲନାଡୁ: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଆଜି ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌ ଏବଂ ଅଟୋ ରିକ୍ସା ମଧ୍ୟରେ ଭୟଙ୍କର ଧକ୍କା ଯୋଗୁଁ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଚିଲାକାଲୁରିପେଟ୍‌ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏକ ଘରୋଇ ଟ୍ରାଭେଲ ବସ୍‌ ବିଜୟୱାଡାରୁ ତିରୁପତି ଅଭିମୁଖେ ଯାଉଥିଲା। ଅନ୍ୟପଟେ ଅଟୋ ରିକ୍ସାରେ ଥିବା ଯାତ୍ରୀମାନେ କୋଣ୍ଡାମଞ୍ଜୁଲୁର ଯାଇ ଭେଲୋର ଫେରୁଥିଲେ। ଏହି ସମୟରେ ଚିଲାକାଲୁରିପେଟ୍‌ ଜାତୀୟ ରାଜପଥରେ ଉଭୟ ଯାନ ମଧ୍ୟରେ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୧୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ୧୦ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଦୁଇ ଯାନର ଧକ୍କା କିପରି ହେଲା, ସେନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ପରିବହନ ମନ୍ତ୍ରୀ ମଣ୍ଡିପାଲି ରାମପ୍ରସାଦ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯାତ୍ରୀମାନଙ୍କୁ ସତର୍କତାର ସହ ଯାତ୍ରା କରିବା ଏବଂ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି। ଏକ ଯାତ୍ରା ମଝିରେ ଏହି ଭୟଙ୍କର ଦୁର୍ଘଟଣା ୭ଟି ପରିବାରକୁ ଶୋକରେ ଡୁବାଇ ଦେଇଥିବା ବେଳେ ୧୦ ଜଣଙ୍କ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial