ମାଲଦା ମେଡିକାଲରେ ନବଜାତ ମୃତ୍ୟୁ ନେଇ ଚାଞ୍ଚଲ୍ୟ; ଗୋଟିଏ ଦିନରେ ୧୦ ନବଜାତଙ୍କ ମୃତ୍ୟୁ; ଅଗଷ୍ଟର ୩ ସପ୍ତାହରେ ଗଲାଣି ୬୦ ଜୀବନ!

ମାଲଦା: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ଏକାଥରକେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହୁରି ଚିନ୍ତାଜନକ ତଥ୍ୟ ହେଉଛି, ଅଗଷ୍ଟ ୨୦୨୬ର ପ୍ରଥମ ୩ ସପ୍ତାହ ମଧ୍ୟରେ ଏହି ହସ୍ପିଟାଲରେ ମୋଟ ୬୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଘଟଣାକୁ ଗୁରୁତ୍ୱର ସହ ନେଇଛି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ। ହସ୍ପିଟାଲ ପ୍ରଶାସନଠାରୁ ବିସ୍ତୃତ ରିପୋର୍ଟ ତଲବ କରାଯାଇଛି। ହସ୍ପିଟାଲ ପକ୍ଷରୁ ମୃତ୍ୟୁ ଘଟଣାକୁ ସ୍ୱୀକାର କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଭବନକୁ ପ୍ରାଥମିକ ରିପୋର୍ଟ ପଠାଯାଇଛି। ଖୁବ୍‌ଶୀଘ୍ର ବିସ୍ତୃତ ରିପୋର୍ଟ ପଠାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ୧୦ ଜଣ ଶିଶୁଙ୍କ ମଧ୍ୟରୁ ୮ ଜଣଙ୍କୁ ଅନ୍ୟ ସରକାରୀ ହସ୍ପିଟାଲ ଓ ଘରୋଇ ନର୍ସିଂହୋମରୁ ଗୁରୁତର ଅବସ୍ଥାରେ ମାଲଦା ମେଡିକାଲ କଲେଜକୁ ରେଫର୍‌ କରାଯାଇଥିଲା। ଏହି ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ସମସ୍ୟା, ଜଣ୍ଡିସ୍‌ ଏବଂ ହୃଦ୍‌ଜନିତ ସମସ୍ୟା ଥିବା ଜଣାପଡ଼ିଛି। ତେଣୁ ମୃତ୍ୟୁର ପ୍ରକୃତ କାରଣ ଏବଂ ଚିକିତ୍ସା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅଗଷ୍ଟର ପ୍ରଥମ ୩ ସପ୍ତାହର ତଥ୍ୟ ଆହୁରି ଚିନ୍ତା ବଢ଼ାଇଛି। ଏହି ସମୟରେ ମୋଟ ୬୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କୁ ଅନ୍ୟ ହସ୍ପିଟାଲ ଓ ନର୍ସିଂହୋମରୁ ଗୁରୁତର ଅବସ୍ଥାରେ ରେଫର୍‌ କରାଯାଇଥିଲା।

ଅନ୍ୟପକ୍ଷରେ, ୧୬ ଜଣ ଶିଶୁ ମାଲଦା ମେଡିକାଲ କଲେଜରେ ହିଁ ଜନ୍ମ ହୋଇଥିଲେ। ଏହି ତଥ୍ୟକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଘଟଣାର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୧୬ଟି ହସ୍ପିଟାଲ ଓ ନର୍ସିଂହୋମରେ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ରେଫର୍‌ ହୋଇଥିବା ଶିଶୁମାନଙ୍କ ଚିକିତ୍ସା ଇତିହାସ ସମେତ ଅନ୍ୟାନ୍ୟ ଦିଗରୁ ତଥ୍ୟ ସଂଗ୍ରହ କରାଯାଉଛି। ଗୁରୁବାର ମାଲଦା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ହସ୍ପିଟାଲର ସ୍ଥିତି ସମୀକ୍ଷା ସହ ଚାଲିଥିବା ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରାଯିବ। ୧୦ ନବଜାତଙ୍କ ଏକଦିନିଆ ମୃତ୍ୟୁ ଏବଂ ମାତ୍ର ୩ ସପ୍ତାହରେ ୬୦ ମୃତ୍ୟୁକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ—ମୃତ୍ୟୁର ପ୍ରକୃତ କାରଣ କ’ଣ? ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଏହାର ଉତ୍ତର ମିଳିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial