ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା। ବାରୁଣ ଥାନା ଅଧୀନ ସିରିସ ନିକଟରେ NH-19 ଉପରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍ରେ ଥିବା ୧୩ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି।
ସୂଚନା ଅନୁସାରେ, ବସ୍ରେ ଥିବା ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ସୋନାମୁଖୀ ଅଞ୍ଚଳର ବାସିନ୍ଦା। ସେମାନେ କୋଲକାତାରୁ ଆଗ୍ରା ବୁଲିବା ପାଇଁ ବସ୍ ଯୋଗେ ଯାତ୍ରା କରୁଥିଲେ। ବୁଧବାର ରାତିରେ ବସ୍ଟି ବାରୁଣ ଥାନା ଅଧୀନ ସିରିସ ନିକଟରେ NH-19ରେ ପହଞ୍ଚିବା ବେଳେ ଡ୍ରାଇଭରଙ୍କୁ ହଠାତ୍ ନିଦ ଲାଗିଥିବା ଜଣାପଡ଼ିଛିଡ୍ରାଇଭରଙ୍କ ନିୟନ୍ତ୍ରଣ ହରାଇବାରୁ ବସ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।
ବସ୍ ଓଲଟିବାର ଶବ୍ଦ ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ ବାରୁଣ ଥାନା ପୋଲିସ ଓ ଡାଏଲ୍-୧୧୨ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଟିମ୍ ସ୍ଥାନୀୟ ଲୋକଙ୍କ ସହଯୋଗରେ ବସ୍ରୁ ଯାତ୍ରୀମାନଙ୍କୁ ବାହାର କରିଥିଲେ। ଆହତ ୧୩ ଜଣଙ୍କୁ ଔରଙ୍ଗାବାଦ ସଦର ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ବାରୁଣ ଥାନା ଅଧ୍ୟକ୍ଷ ରଞ୍ଜିତ କୁମାରଙ୍କ ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଡ୍ରାଇଭରଙ୍କୁ ନିଦ ଲାଗିଯିବା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ବସ୍ରେ ଥିବା ଯାତ୍ରୀମାନେ ଶୀଘ୍ର ଉଦ୍ଧାର ହୋଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।












Leave a Reply