କାନପୁର ଆକାଶରେ ମୃତ୍ୟୁର ମୋଡ଼! ଟ୍ରେନିଂ ବିମାନ ଦୁର୍ଘଟଣା, ୨ ପାଇଲଟ୍ ମୃତ

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟରେ ଘଟିଛି ବଡ଼ ଧରଣର ବିମାନ ଦୁର୍ଘଟଣା। ଗଙ୍ଗା ବ୍ୟାରେଜ୍ ନିକଟସ୍ଥ ନତ୍ ଥୁ ପୁରୱା ଗାଁ ନିକଟରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ତଳକୁ ଖସିପଡ଼ିବାରୁ ଏଥିରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ପ୍ରାୟ ସକାଳ ୧୧ଟା ୫୦ ମିନିଟ୍‌ରେ ଘଟିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ, ଉଡ଼ାଣ ସମୟରେ ୪ ସିଟର ଟ୍ରେନିଂ ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିମାନରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ପାଇଲଟ୍ ଦୁର୍ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ଗୁଜରାଟର ଏବଂ ଅନ୍ୟଜଣେ କର୍ଣ୍ଣାଟକର ବୋଲି ସୂଚନା ମିଳିଛି। ବିମାନଟି ଖସିପଡ଼ିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଆରମ୍ଭ କରାଯାଇଥିଲା।

ତେବେ ବିମାନଟି କେଉଁ କାରଣରୁ ଉଡ଼ାଣ ବେଳେ ନିୟନ୍ତ୍ରଣ ହରାଇଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।ପ୍ରାଥମିକ ଭାବେ ଉଡ଼ାଣ ସମୟରେ ବିମାନଟି ଅନିୟନ୍ତ୍ରିତ ହୋଇ ଖସିପଡ଼ିଥିବା କୁହାଯାଉଛି। ତେବେ ଏହା ପଛରେ ଯାନ୍ତ୍ରିକ ତ୍ରୁଟି, ପାଣିପାଗ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। କାନପୁରର ଏହି ବିମାନ ଦୁର୍ଘଟଣା ଏବେ ତଦନ୍ତ ପରିସରରେ। ଦୁଇ ପାଇଲଟଙ୍କ ମୃତ୍ୟୁ ପରେ ଦୁର୍ଘଟଣାର କାରଣ ଏବଂ ବିମାନର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial