ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି । ଆଗାମୀ ୪୮ ଘଣ୍ଟାରେ ଓଡ଼ିଶାରେ ବଦଳିବ ପାଗ । ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ବଢିବ ଶୀତ । ୨ରୁ ୩ ଡିଗ୍ରୀ ଖସିବ ରାତିର ତାପମାତ୍ରା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏପଟେ ତାମିଲନାଡୁ ଏବଂ ପୁଡ଼ୁଚେରୀକୁ ବାତ୍ୟା ଭୟ ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଆକଳନ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,”ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ତାପମାତ୍ରା ସାଧାରଣ ରହିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦.୦୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ, ପାର୍ବତ୍ୟ ଅଞ୍ଚଳ ଜି. ଉଦୟଗିରିରେ ୦୮.୦୬ ଡିଗ୍ରୀ ସେଲସିୟସ୍ ରହିଛି”।
ପ୍ରଥମେ ଯେଉଁ ବାତ୍ୟାଟି ଉତ୍ତର ପୂର୍ବ ଇଣ୍ଡୋନେସିଆ ପାଖରେ ସୃଷ୍ଟି ହୋଇଥିଲା, ତା’ର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଦ୍ୱିତୀୟ ସିଷ୍ଟମଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅଧିକରୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ମନୋରମା ମହାନ୍ତି କହିଛନ୍ତି, “ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ଗୋଟିଏ-ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟାରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି । ଏହାପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ”।















Leave a Reply