ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ; ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ।

ଅକ୍ଷର ବ୍ୟୁରୋ: ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ ଆରମ୍ଭ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ । ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ । ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି । ଓଡ଼ିଶା ବାତ୍ୟାରୁ ବର୍ତ୍ତିଯାଇଛି, ଆଦୌ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାକୁ ହିଟ୍ କରି ନଥିଲେ ବି ଏ ହେଉଛି ବାତ୍ୟା ମୋନ୍ଥା ପ୍ରଭାବର କିଛି ଚିତ୍ର । ପବନ ଠାରୁ ଅଧିକ ଦୁଃଖ ଦେଇଛି ବର୍ଷା । ସବୁଠି ବେଶି କ୍ଷତି କରିଛି ଚାଷୀକୂଳର । ଛନ ଛନିଆ ଧାନ କିଆରିରେ ଲହଡ଼ି ମାରୁଛି ବର୍ଷା ପାଣି । ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ବର୍ଷା ପାଣିରେ ମୁଣ୍ଡ ମାଡ଼ି ଶୋଇ ପଡ଼ିଥିବା ଧାନ ବୁଦାକୁ ଛିଡ଼ା କରିବାକୁ ଚେଷ୍ଟା କରୁଛି ଚାଷୀ । ଆସ୍କାରୁ ନେଇ ଭଦ୍ରକ ବାସୁଦେବପୁର, ପୁରୀ କୃଷ୍ଣପ୍ରସାଦ, ଜଳେଶ୍ୱର ସବୁଠି ସମାନ ସ୍ଥିତି । ଚାଷୀଙ୍କ ଆଶା ସରକାରୀ ସହାୟତାକୁ ।

ତେବେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଳ ତାଡ଼କା ସାହି-ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ନିକଟରେ ମାଟି ଅତଡା ଖସିଛି । ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଞ୍ଚାୟତର କୋଡ଼ିଏରୁ ଊର୍ଦ୍ଧ୍ୱ ଗ୍ରାମର ଯାତାୟତ ବନ୍ଦ ହୋଇଛି । ସେହିଭଳି ଗଜପତିର ରାୟଗଡ ବ୍ଲକ ଏସ.କରଡାସିଂ ପଞ୍ଚାୟତର ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାରୁ ଅନେକ ଗାଁ ମୁଖ୍ୟରାସ୍ତା ଓ ପଞ୍ଚାୟତରୁ ବିଛିନ୍ନ ହୋଇଥିଲା । କିଛି ଅବରୋଧ ପ୍ରଶାସନ କ୍ଲିୟର କରିଥିଲେ ହେଁ ଯାତାୟତ ପୂରାପୂରି ସ୍ୱାଭାବିକ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)