ଅକ୍ଷର ବ୍ୟୁରୋ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ସ୍ଵର୍ଣ୍ଣ ପଦକ। ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ର ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion Organization) ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି ଅତିରିକ୍ତ ଆବାସିକ କମିଶନର ସୁଚରିତା ଷଡ଼ଙ୍ଗୀ ଏବଂ ଓଡ଼ିଶା ପାଭିଲିଅନ ଡାଇରେକ୍ଟର ଅଶ୍ଵିନୀ ଭୋଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ପୂରା ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚଳିତ ବର୍ଷକୁ ମିଶାଇ ଓଡ଼ିଶା କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କାର ପାଇଛି। ତା’ ଭିତରେ ଓଡ଼ିଶା ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଏଥର ‘ଓଡ଼ିଶା ମଣ୍ଡପ’ର ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଉଥିବା ‘ବୋଇତ’ ଆକୃତିର ତୋରଣ ନିର୍ମାଣ ହୋଇଥିଲା। ସେହିପରି ମଣ୍ଡପ ଭିତରେ ଧଉଳିର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରି ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦେଶ ବିଦେଶର ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଓଡ଼ିଶା ମଣ୍ଡପରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥା ପକ୍ଷରୁ ମୋଟ ୨୮ଟି ଷ୍ଟଲ କରାଯାଇଥିଲା। ଏଥିରେ ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଓରମାସ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଏବଂ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଥିଲା। ସେହିପରି ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ ଡେମନଷ୍ଟ୍ରେସନ ଆଉ ଏକ ଆକର୍ଷଣ ପାଲଟିଥିଲା। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ତାରକସି, ସବାଇ ଘାସ ଓ ନଡ଼ିଆ କତାରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ।












Leave a Reply