ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ପବନ ବହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ଜଗତସିଂହପୁର, ପୁରୀ, ରାୟଗଡ଼ା ଓ କୋରାପୁଟ। ଏହିସବୁ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କହିଛନ୍ତି SRC।
ଏସବୁ ଭିତରେ ଓଡ଼ିଶାରେ ଏଥର ଅଧିକ ବର୍ଷା ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଆସନ୍ତା ଦୁଇରୁ ତିନି ଦିନ ଭିତରେ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିବ। ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ଜଲଦି ଅଗ୍ରସର ହେଉଛି। ଏହା’ ସହ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ମୌସୁମୀକୁ ଅଧିକ ସକ୍ରିୟ କରିଛି। ମୌସୁମୀ ବର୍ଷା ନେଇ IMD ଡିଜି ଆହୁରି କହିଛନ୍ତି, ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୋଟାମୋଟି ଭାବେ ସ୍ୱାଭାବିକଠୁ ଅଧିକ ବର୍ଷା ହେବ। ଜୁନରେ ୧୦୬ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ପ୍ରାକ୍ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଥିବାବେଳେ ମେ’ରେ ଦେଶରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଥିବା କହିଛନ୍ତି IMD ଡିଜି।












Leave a Reply