ରାଜଧାନୀରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା; କୁଆଖାଇ ସେତୁ ଉପରେ କାର୍ କୁ ୫୦୦ମିଟର ଘୋଷାରି ନେଲା ହାଇୱା ଟ୍ରକ୍ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା । ମଞ୍ଚେଶ୍ୱର ଥାନା କୁଆଖାଇ ସେତୁ ଉପରେ କାର୍ କୁ ଘୋଷାରି ନେଲା ହାଇୱା ଟ୍ରକ୍ । ପୁରୀ କେନାଲ ରୋଡ ଅଭିମୁଖେ ଯିବା ପାଇଁ ଟର୍ଣିଂ କାଟୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକଟି କାରକୁ ଧକ୍କା ଦେବାପରେ ପାଖା ପାଖି ୫୦୦ମିଟର ଘୋଷାଡି ନେଇଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା ଓ ଝିଅ । ଧକ୍କା ଦେବା ପରେ ଟ୍ରକଟି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୋଲିସ୍ ଟ୍ରକକୁ ପାହାଳ ପାଖରେ ଧରିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ସୁରକ୍ଷିତ ଥିବା ପୋଲିସ୍ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ରସୁଲଗଡ଼ ପଟୁ ଏକ ହାଇୱା କଟକ ଆଡକୁ ଯାଉଥିଲା । କୁଆଖାଇ ସେତୁ ଆରମ୍ଭ ପୂର୍ବରୁ ଏକ କାର୍ ହାଇୱାକୁ ଓଭର୍‌ଟେକ୍ କରିଥିଲା । କାର୍‌ଟି ହାଇୱା ସାମ୍ନାକୁ ଚାଲି ଆସିଥିଲା । ତେବେ ଦ୍ରୁତ ଗତିରେ ଥିବା ହାଇୱା କାରକୁ ଧକ୍କା ଦେଇଥିଲା ଫଳରେ କାର୍‌ଟି ବୁଲିଯାଇଥିଲା । ହାଇୱା ଚାଳକ ଭୟରେ ଗାଡ଼ିର ବେଗ ବଢ଼ାଇ ଦେଇଥିଲା । ଫଳରେ କାରକୁ ବହୁ ଦୂରକୁ ଠେଲି ନେଇଥିଲା । ପୋଲ ପାର ହେବା ପରେ ହାଇୱା ଚାଳକ ଗାଡ଼ିର ଦିଗ ବଦଳାଇ ଦେବାରୁ କାର୍ ଖସି ଯାଇଥିଲା । ବାଟରେ ଯାଉଥିବା ଲୋକ ଏ ଦୃଶ୍ୟ ଦେଖି ପୋଲିସ୍‌କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତୁରନ୍ତ ନଖରା ପୋଲିସ୍‌କୁ ଜଣାଇଥିଲା । ନଖରା ପୋଲିସ୍ ଉକ୍ତ ହାଇୱାକୁ ଧରିଥିଲା । ଚାଳକକୁ ପୋଲିସ ଅଟକ ରଖିଛି । କାର୍ ଭିତରେ ଥିବା ବାପା ଝିଅ ଭୟଭିତ ହୋଇଯାଇଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)