ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ନିତି ତାଣ୍ତବ ରଚୁଛି କାଳବୈଶାଖି। ପାଗ ଠିକ୍ ରହିବା ସହ ଖରା ହେଉଥିବା ବେଳେ ଅଚାନକ କଳାହାଣ୍ଡିଆ ମେଘ ଘୋଟିଆସୁଛି। ଆଉ ଏହାପରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା-ପବନ ହେଉଛି। ରାଜ୍ୟରେ ଏପରି ସ୍ଥିତି ଆହୁରି ୫ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି।
ଗତକାଲି ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବିଜୁଳି ଘଡ଼ଘଡ଼ି ଲୋକଙ୍କୁ ଭୟଭିତ କରିଥିଲା। କେବେଳ ସେତିକି ନୁହେଁ, ବଡ଼ବଡ଼ ଗଛ ମଧ୍ୟ ଉପୁଡି ଯାଇଥିଲା। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର ଆଉ କିଛି ଅଞ୍ଚଳ ବିଜୁଳି ସହିତ ମଧ୍ୟମ ଧରଣର ଝଡ଼ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ବାଲେଶ୍ଵର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଏବଂ କୋରାପୁଟ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ସହ ଏହି ସବୁ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହାକୁ ନେଇ ଏହି ସବୁ ଜିଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥି ସହିତ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ନୂଆପଡା, ଯାଜପୁର, କେନ୍ଦ୍ରପଡା, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ସହିତ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଯାହାକୁ ନେଇ ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।












Leave a Reply