ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଜିଏଫଏସ୍ ପରେ ଇସିଏମଡବ୍ଲ୍ୟୁଏଫ୍ ମଧ୍ୟ ଲଘୁଚାପ ନେଇ ପୂର୍ବାନୁମାନ ଦେଖାଇଛି । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି । ଆରମ୍ଭରୁ ଏଯାଏ ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଥିବା ଆକଳନ କରିଛି । ଏପରିକି ଏହା ଓଡ଼ିଶା ମୁହାଁ ହେବା ନେଇ ସମ୍ଭାବ୍ୟ ଚିତ୍ର ଦେଖାଇଛି । ହେଲେ ଅନ୍ୟ କୌଣସି ମଡେଲ୍ ଏଯାଏ ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଖାଇ ନାହାନ୍ତି ।
ଜିଏଫଏସ୍ ମଡେଲ୍ ବୁଧବାର ସନ୍ଧ୍ୟାରେ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ରୂପ ନେଇ ଆସନ୍ତା ୧୫ ତାରିଖବେଳକୁ ଓଡ଼ିଶା ଉପକୂଳର ଅତି ନିକଟରେ ପହଞ୍ଚିପାରେ । ଦୀର୍ଘ ସମୟ ଧରି ଏହା ଓଡ଼ିଶା ଉପକୂଳ ଓ ପାଖ ଅଞ୍ଚଳ ଉପରେ ରହିବା ସମ୍ଭାବନା ଅଛି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉଭୟ ଜିଏଫଏସ୍ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଏକମତ ଯେ ମେ’ ମାସ ମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ହେବ । ୧୪-୧୫ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଜିଏଫଏସ୍ ମଡେଲ୍ ଏକ ଶକ୍ତିଶାଳୀ ବାତ୍ୟା ନେଇ ସମ୍ଭାବ୍ୟ ଚିତ୍ର ଦେଖାଉଛି । କିନ୍ତୁ, ଇସିଏମଡବ୍ଲ୍ୟୁଏଫ ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି ।











Leave a Reply