ଅକ୍ଷର ଓଡିଶା: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦିନକ ପରେ ଅର୍ଥାତ ୨୪ରେ ଅଧିକ ଘନୀଭୂତ ହୋଇ ଏହା ଡିପ୍ରେସନର ରୂପ ନେବ । ଏହା ପରେ ଘନୀଭୂତ ହୋଇ ୨୬ କିମ୍ବା ୨୭ ବେଳକୁ ବାତ୍ୟାର ରୂପ ନେବ । ଏନେଇ ବିଭିନ୍ନ ପାଣିପାଗ ମଡେଲରେ ଆକଳନ କରାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରୀୟ ଷ୍ଟ୍ରେଟ ଅଫ ମଲାକ୍କା ନିକଟରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତା କାଲି ଲଘୁଚାପ ସୃଷ୍ଟି ହେବ । କ୍ରମଶଃ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁ ହୋଇ ଅଧିକ ଘନୀଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ବାତ୍ୟା ହେଲେ କୁଆଡ଼େ ରହିବ ଏହାର ଗତିପଥ । ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏହି ଘୂର୍ଣ୍ଣିବଳୟ ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ଓ ୨୪ ତାରିଖ ବେଳକୁ ଦକ୍ଷିଣ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଯାହାଫଳରେ ୨୭ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ଏଭଳି ସୂଚନାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ବାତ୍ୟା ଓ ବର୍ଷା ଆଶଙ୍କାରେ ଦିନ କାଟୁଛନ୍ତି ଚାଷୀ । ଏବେ ଅମଳ ସମୟ ଆରମ୍ଭ ହୋଇଥିଲେ ମଧ୍ୟ ବିଲରେ ପାଣି ରହିଛି । ପୁଣି ଧାନ ଅମଳ ପାଇଁ ଶ୍ରମିକ ଅଭାବ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ବି ବିଲରେ ଥିବା ପାଚିଲା ଧାନ ନଷ୍ଟ ହେବ ବୋଲି ଚାଷୀମାନେ କହୁଛନ୍ତି । ଅପରପକ୍ଷେ ଏବେ ସାରା ରାଜ୍ୟରେ ତାପମାତ୍ରା ସାଧାରଣ ରହିଥିବାବେଳେ କେନ୍ଦ୍ରୀୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୪ଟି ସ୍ଥାନରେ ତାପମାତ୍ରା ୧୨ଡିଗ୍ରୀ କିମ୍ବା ଏହାଠାରୁ କମ୍ ରହିଥିବାବେଳେ ୧୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଥିବା ସୂଚନା ଦିଆଯାଇଛି ।












Leave a Reply