ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଏନେଇ ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ବୈଠକରେ ଯୋଗଦେବା ପରେ ଅମଲିପାଲିକୁ ଯାଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ଅଫିସରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଯୁବ ସମାବେଶକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଭେଟି ଦେବାକୁ ଥିବାବେଳେ ଓଡ଼ିଶାକୁ କେବଳ ୧୭୦୦କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ସଂଯୋଗୀକରଣ ବୃଦ୍ଧି ପାଇବ, ମାଲ୍ ପରିବହନ ଓ ଯାତ୍ରୀ ପରିବହନରେ ବଡ଼ଧରଣର ପରିବର୍ତ୍ତନ ଆସିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ସହର ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ୨୭୩କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଫ୍ଲାଇଓଭର ହେଲେ ସରଲା ଷ୍ଟେସନର ବହୁଦିନର ସମସ୍ୟା ଦୂର ହେବ । ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ ସୁଗମ ଏବଂ ନିରବଚ୍ଛିନ୍ନ ରେଳ ଯାତାୟାତ ସୁନିଶ୍ଚିତ କରାଯାଇପାରିବ । ଏହି ସେକ୍ସନ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ମାଲ୍ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ । ସେହିପରି କୋରାପୁଟ-ବାଇଗୁଡ଼ା ୩୪କି.ମି. ରେଳ ଲାଇନ୍ର ଦୋହରୀକରଣ ପାଇଁ ୪୮୧ କୋଟି ଟଙ୍କାର ପ୍ରକଳ୍ପ, ମାନାବାର-କୋରାପୁଟ-ଗୋରାପୁର ୮୨କିମି ରେଳ ଲାଇନ୍ର ଦୋହରୀକରଣ ପାଇଁ ୯୫୫କୋଟି ପ୍ରକଳ୍ପର ଲୋକାର୍ପଣ କରିବେ ।
ଏହି ପ୍ରକଳ୍ପ ବୈଲାଡିଲା ଖଣିରୁ ସାରା ଦେଶର ଇସ୍ପାତ କାରଖାନାକୁ ଲୁହାପଥରର ଦ୍ରୁତ ପରିବହନକୁ ସୁଗମ କରିବାରେ ଲାଭଦାୟକ ପ୍ରମାଣିତ ହେଉଛି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ବିଶେଷ ଭାବେ ଉପକୃତ ହେବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଏବଂ ଉଧନା (ସୁରତ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରିବ । ଏହି ଅମୃତ ଭାରତ ଏକ୍ସପ୍ରେସ ଓଡ଼ିଶାର ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡ଼ା ଦେଇ ଯାତାୟତ କରିବ । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ବଡ଼ ପଦକ୍ଷେପ ହେବ । ଏହାଦ୍ବାରା ଯାତ୍ରା ସମୟ ହ୍ରାସ ହେବ, ସୁରକ୍ଷା ଏବଂ ସମୟାନୁବର୍ତ୍ତିତା ବୃଦ୍ଧି କରିବ, ଶିଳ୍ପ ସମ୍ପ୍ରସାରଣକୁ ସମର୍ଥନ କରିବ ଏବଂ ଚାଷୀ, ବ୍ୟବସାୟୀ, ଯୁବକ ଏବଂ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।












Leave a Reply