ଆଜି ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ଅକ୍ଟୋବର ମାସ ୫ତାରିଖରେ ଶହୀଦ ସ୍ୱାଧୀନତା ସଂଗ୍ରାମୀ କୁମାର ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ମହାଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି, ଯାହାକୁ ନେଇ ପ୍ରସ୍ତୁତି ଏବଂ ଆଲୋଚନା କରାଯାଇଥିଲା। ଏବଂ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ତଥା ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ସ୍ଥିତ ବାସଭବନ ଏବଂ ନିକଟରେ ଥିବା ବ୍ରାହ୍ମଣୀ ନଦୀ ଘାଟ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଛି।
ତେବେ ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସୁଦୃଢ କରିବା ପାଇଁ ଲୋକସେବା ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବପ୍ରସାଦ ଦାଶଙ୍କ ସହ ମଧ୍ୟ ବିସ୍ତୃତ ରୂପେ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନକାର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତିରଞ୍ଜନ ସେଠି, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।












Leave a Reply