ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କରିବା ସହ ୨୬ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଓ କିସାନ ସଶକ୍ତିକରଣ ବିଭାଗର ୨୬ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କରିଛନ୍ତି । ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ରାଜ୍ୟ ପାଇଁ ଏକ ସମନ୍ୱିତ ଆକ୍ଵା ପାର୍କ ଏବଂ ଏକ ପାଇକାରୀ ମାଛ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି । ଏହି ଅବସରରେ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଓ ‘ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ’ର ଶୁଭାରମ୍ଭ ବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜନ୍ମଦିବସ ।

ଏହି ଅବସରରେ ଆଜି କୋଟି କୋଟି କୃଷକଙ୍କ ଲାଗି ୩୫ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ ହୋଇଛି । ଆମ ପୂର୍ବ ସରକାରଙ୍କର ଦାୟିତ୍ୱହୀନତା ଯୋଗୁ କୃଷକମାନଙ୍କର ଯଥେଷ୍ଟ ପ୍ରଗତି ହୋଇପାରିନଥିଲା । ହେଲେ ଏନଡିଏ ସରକାର ଆସିବା ପରେ ଆମେ କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛୁ। ପିଏମ୍ ଧନଧାନ୍ୟ ଯୋଜନାରେ ଦେଶରେ ଆଙ୍କାକ୍ଷୀ ଜିଲ୍ଲା ଘୋଷଣା କରାଯାଇଛି । ଆଙ୍କାକ୍ଷୀ ଜିଲ୍ଲା ଯୋଜନାରେ ସବୁ ସ୍କୁଲରେ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଏଠାରେ ମାତୃମୃତ୍ୟୁ ହାର କମିଛି । ଦେଶର ଶହେ ଜିଲ୍ଲାରେ କୃଷିର ଉନ୍ନତିକରଣ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କିସାନ ସଶକ୍ତିକରଣ ଶିବରାଜ ସିଂହ ଚୌହ୍ବାନ ଓ ବିଭାଗର ରାଜ୍ୟମନ୍ତ୍ରୀ ଭାଗୀରଥୀ ଚୌଧୁରୀ ଉପସ୍ଥିତ ଅଛନ୍ତି । ଆଭାସୀ ଯୋଗେ ଏଥିରେ କେନ୍ଦ୍ର ପଞ୍ଚାୟତରାଜ, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରାଜୀବରଂଜନ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କୃଷି ମନ୍ତ୍ରୀ ଯୋଡ଼ିହୋଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)