ଅକ୍ଷର ବ୍ୟୁରୋ: ମୋନ୍ଥାର ମାଡ଼ରୁ ବର୍ତ୍ତିଗଲା ଓଡ଼ିଶା । ମାଲକାନଗିରିରୁ ପଶ୍ଚିମରେ ୩୦ରୁ ୪୦ କିଲୋମିଟର ଦେଇ ଗତି କରିବ ମୋନ୍ଥା । ପୂର୍ବରୁ ଅନୁମାନ ଥିଲା ଏହା ମାଲକାନଗିରି ଜିଲ୍ଲା ଦେଇ ଯିବ । କିନ୍ତୁ ବାତ୍ୟାର ମୋଡ଼ ବଦଳିଗଲା । ବର୍ତ୍ତମାନ ମାଲକାନଗିରି ଦେଇ ଯାଉ ନାହିଁ ବାତ୍ୟାର ଗତିପଥ । ତେଣୁ ପବନର ବେଗ ୬୦ କିଲୋମିଟରରୁ ଅଧିକ ହେବ ନାହିଁ । ବାତ୍ୟା ପଥ ଓଡ଼ିଶା ଦେଇ ଯାଉ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ବର୍ଷା ଓ ପବନ ଯୋଗୁଁ ପ୍ରଭାବିତ ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି । ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ।
‘ମୋନ୍ଥା’ ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଦକ୍ଷିଣ ଓଡ଼ିଶା ପାଖ ଦେଇ ଛତିଶଗଡ଼ମୁହାଁ ହେବ । ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏପଟେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା ସଙ୍କେତ ଜାରି ହୋଇଛି ।
ଓଡ଼ିଶାର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କାରେ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଓ କାଲି ପାଇଁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବାତ୍ୟା ମୋନ୍ଥାର ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ହୋଇଛି । ଗତକାଲି ଦିନ ତମାମ ବର୍ଷା ଜାରି ରହିଥିଲା । ସନ୍ଧ୍ୟାରେ ଟିକିଏ କମିବା ପରେ ପୁଣି ମଧ୍ୟରାତ୍ରରୁ ବର୍ଷା ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ଫସଲ ଉଜୁଡ଼ିଯିବା ଭୟରେ ଚିନ୍ତାରେ ଚାଷୀକୂଳ ।












Leave a Reply