ଅକ୍ଷର ବ୍ୟୁରୋ: ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି । ତେଣୁ ଦୁଇ ଦିନିଆ ଗସ୍ତ ବିଭିନ୍ନ ଦିଗରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଗୋଟେ ପଟେ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ, ସେପଟେ ଆମେରିକା ସହ ଟାରିଫ ବିବାଦ । ଏହା ଭିତରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରୁ ଗୁରୁତ୍ୱବହନ କରୁଛି । ୨୦୨୧ରେ ଶେଷଥର ପାଇଁ ଭାରତ ଆସିଥିଲେ ପୁଟିନ । ସେହିପରି ଗତବର୍ଷ ମସ୍କୋରେ ଆୟୋଜିତ ଶିଖର ସମ୍ମିଳନରେ ରୁଷ ଯାଇଥିଲେ ମୋଦୀ । ତେବେ ଗତ ସେପ୍ଟେମ୍ବର ମାସରେ ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରେ ମୋଦୀଙ୍କ ସହ ପୁଟିନଙ୍କ ଭେଟଘାଟ ଓ ଦୁଇ ରାଷ୍ଟ୍ରନେତାଙ୍କ ବନ୍ଧୁତା ପୂରା ବିଶ୍ୱ ଦେଖିଥିଲା । ଏପରିକି ମୋଦୀ ଓ ପୁଟିନଙ୍କ ଏକାଠି କାର ଯାତ୍ରାର ଖବର ଓ ଫଟୋ ବେଶ ଚର୍ଚ୍ଚା ସାଉଁଟିଥିଲା ।
ରୁଷ ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ହାଇ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା । ପୁଟିନ୍ଙ୍କ ପାଇଁ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରୁଷ୍ରୁ ପ୍ରାୟ ୫୦ରୁ ଅଧିକ ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି । ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ । ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ ଏନ୍ଏସ୍ଜି ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ । ଆଭ୍ୟନ୍ତରୀଣ ସୁରକ୍ଷା ସ୍ତରଗୁଡ଼ିକୁ ରୁଷ୍ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବା ବାହିନୀ ପରିଚାଳନା କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ସମୟରେ ଭାରତର ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ଏସ୍ପିଜି କମାଣ୍ଡୋମାନେ ମଧ୍ୟ ସୁରକ୍ଷା ପ୍ରଦାନ କରିବେ ।












Leave a Reply