ପୋଲିସ SI ପ୍ରଶ୍ନପତ୍ର କେଳେଙ୍କାରୀରେ ଆଉ ୨ ଅଭିଯୁକ୍ତ ଗିରଫ । ୨ ଅଭିଯୁକ୍ତ ଦଲାଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଡିଜିଟାଲ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । SI ପରୀକ୍ଷା କେଳେଙ୍କାରୀରେ ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ୱ । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ଦାୟିତ୍ୱ । ୩ ଦଲାଲ ଓ ୧୧୪ ଜଣ ପରୀକ୍ଷାର୍ଥୀ ବୁଧବାରଠାରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ବେଳେ ଏହି ବଡ଼ କେଳେଙ୍କାରୀର ତଦନ୍ତ କରୁଛି କ୍ରାଇମ୍ବ୍ରାଞ୍ଚ । ଇତିମଧ୍ୟରେ କଟକ, ଭୁବନେଶ୍ୱରରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ତନାଘନା ଚାଲିଥିବାବେଳେ ଏଥିରେ ବଡ଼ ଅଧିକାରୀ, କେତେଜଣ ପ୍ରଭାବଶାଳୀ ବ୍ୟକ୍ତି, କୋଚିଂ ସେଣ୍ଟର ମାଲିକ, ଦଲାଲ ସମ୍ପୃକ୍ତ ଥିବା ଅଭିଯୋଗ ଉଠୁଥିବାରୁ କ୍ରାଇମ୍ବ୍ରାଞ୍ଚ ସେହି ଦିଗକୁ ନେଇ ତଦନ୍ତ ଜୋର୍ଦାର କରିଛି ।
ତେବେ ତଦନ୍ତକାରୀ ଅଧିକାରୀମାନେ ସେହିପରି କିଛି ତଥ୍ୟ ପାଇଥିବା କୁହାଯାଉଥିବାବେଳେ ଚାକିରି ପାଇଁ ଜଣପିଛା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିଲ୍ ହୋଇଥିଲା ବୋଲି ଜଣାପଡିଛି । କ୍ରାଇମ୍ବ୍ରାଞ୍ଚ ଶୁକ୍ରବାର ବ୍ରହ୍ମପୁରରୁ ଆଉ ୩ ଜଣଙ୍କୁ ଉଠାଇ ନେଇଛି । ଗୋଳନ୍ଥରା ଥାନାରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପଚରାଉଚରା କରିଥିଲେ । ବହୁ ଘଣ୍ଟା ଧରି ଜେରା କରିବା ପରେ ଡିଜି ଫେରିଥିଲେ ।
ସୂଚନାଯୋଗ୍ୟ, ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ ଏସ୍ଆଇ ପରୀକ୍ଷା ହେବାର ଥିଲା । ତେବେ ସେପ୍ଟେମ୍ବର ୨୯ ରାତିରେ ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର୍ ବସ୍କୁ ପିଛା କରିଥିଲା । ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍.ଙ୍କ ନେତୃତ୍ୱରେ ୩ଟି ଟିମ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ରେ ପହଞ୍ଚତ୍ ଉକ୍ତ ୩ଟି ବସ୍ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲା । ୧୧୭ ଜଣଙ୍କ ମଧ୍ୟରୁ ୧୧୪ଜଣ ଓପିଆର୍ବି ପକ୍ଷରୁ ହେବାକୁ ଥିବା ଏସ୍ଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ । ପ୍ରଶ୍ନପତ୍ର ପାଇଁ ସେମାନେ ଭୁବନେଶ୍ୱରରୁ ବସ୍ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଯାଉଥିଲେ । ଗୁପ୍ତଭାବେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ପାଇଁ ସେମାନଙ୍କ ଯୋଜନା ଥିଲା । ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେଇଥାନ୍ତେ । ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଆଉ ୧୫ ଲକ୍ଷ ଦେବା ପାଇଁ ଚୁକ୍ତି କରିଥିଲେ । ପରୀକ୍ଷା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା । ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇ ୩ ଦଲାଲ ଓ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ପରୀକ୍ଷାର୍ଥୀ ଗିରଫ ହେବା ଖବର ପାଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ସେମାନେ ନିଜ ପିଲାଙ୍କୁ ଭେଟିବା ପାଇଁ ବ୍ରହ୍ମପୁର ଜେଲ ଆଗରେ ଶୁକ୍ରବାର ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା ।












Leave a Reply