ଅକ୍ଷର ବ୍ୟୁରୋ: ଡାକ୍ତର ଆନ୍ଦୋଳନରେ ରୋକ ଲଗାଇବେ ସରକାର । ୧୦ ଦଫା ଦାବି ପୂରଣ ଦାବିରେ ଗତ କିଛି ଦିନ ଧରି ଡାକ୍ତରମାନେ ଆନ୍ଦୋଳନ ଚଳାଇଥିବା ବେଳେ କଲବଲ ହେଉଛନ୍ତି ରୋଗୀ । ଏଥିଯୋଗୁ ରୋଗୀସେବା ଗୁରୁତର ବାଧାପ୍ରାପ୍ତ ହେଉଥିବାରୁ ରାଜ୍ୟ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ଡାକ୍ତର ଆନ୍ଦୋଳନ ରୋକିବାକୁ ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଅର୍ଥାତ ୬ ମାସ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେନି ଡାକ୍ତର । ଡାକ୍ତରଙ୍କ ଆନ୍ଦୋଳନ ଉପରେ ESMA ଲାଗୁ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୬ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଧର୍ମଘଟ ଓ କାର୍ଯ୍ୟବନ୍ଦ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ।
ESMA ଆଇନ ଲାଗୁ ହେଲେ ଜରୁରୀକାଳୀନ ସେବାକୁ ରୋକା ଯାଇପାରିବନି କିମ୍ବା ଆନ୍ଦୋଳନ କରି ଏହାକୁ ବନ୍ଦ କରି ହେବନି । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ରାଜ୍ୟବ୍ୟାପୀ ଡାକ୍ତରଙ୍କ ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରହିଛି । ଯେଉଁଥିପାଇଁ ଏବେ କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିର୍ଦ୍ଦେଶାନାମାରେ କୁହାଯାଇଛିଯେ, ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକନିସିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ । ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ କରାଯାଇଛି । ଅପରପକ୍ଷେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମସା ସଭାପତି ଡା. କିଶୋର ମିଶ୍ର କହିଛନ୍ତି । ରାଜ୍ୟ ସରକାର ଏସମା ଲାଗୁ କରି ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଥିଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ ବୋଲି ସେ କହିଛନ୍ତି ।












Leave a Reply