ଅକ୍ଷର ବ୍ୟୁରୋ: ଆଜିଠାରୁ ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ହେବାକୁ ଯାଉଛି । ତିନିଦିନ ଧରି ଜନତା ମଇଦାନରେ ଏହି ସମାବେଶ ଚାଲିବ । ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ପାଇଁ ଏହି ସମାବେଶ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ । କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମାବେଶ ଚାଲିବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଏହି ଅବସରରେ ଆଜି ସକାଳ ୬ଟାରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜିତ ହୋଇଛି । ଏହି ୱାକାଥନ୍ ରେ ବିଭାଗୀୟ ମନ୍ତ୍ରୀ, ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲମ୍, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ବୁଲିବାକୁ ଆସି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଏହି ସମାବେଶ ଆୟୋଜିତ ହେବ । ୨୧ ଜାନୁଆରୀ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାବେଶର ଉଦଘାଟନ କରିବେ । ସେହିପରି ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହାର ଗରିମା ବୃଦ୍ଧି କରିବେ । ୨୦୨୬ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା; ବିକଶିତ ହେବ ଆମ ଓଡ଼ିଶା ।” ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଯୋଗ ଦେବେ। ତା ସହ ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ । ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୦ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।












Leave a Reply