ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ପରେ, ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତାଲିକା ମାଗିଲେ ରାଜ୍ୟ ସରକାର ।

ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ । ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ରାଜ୍ୟ ସରକାର । ୨୦୨୪ ଜୁନ ଠାରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତଥ୍ୟ ମାଗିଛନ୍ତି ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ । ରିପୋର୍ଟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ କୁହାଯାଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓଡ଼ିଶା ପୋଲିସ ଷ୍ଟାଫ ସିଲେକସନ ବୋର୍ଡ, ପୋଲିସ ସିଲେକସନ ବୋର୍ଡ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓସେପା, ଓପିଏସି, ଓଏସଏସସି, ଓଏସଏସଏସସି ଓ ଷ୍ଟାଫ ସିଲେକସନ -ହାୟର ଏଜୁକେନସକୁ ହୋଇଛି ଚିଠି ।

ସୂଚନାଅଛିକି, ନିକଟରେ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍‌ନାକୁ ଆସିଛି । ଯାହା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି । ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି । ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟର ହାତ ରହିଥିବା ଜଣାପଡ଼ିଥିବା ବେଳେ, ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି । ପୂର୍ବରୁ ଓଟିଇଟି ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା । ପ୍ରଶ୍ନପତ୍ର ଲିକ୍‌ ହେବା କାରଣରୁ ପରୀକ୍ଷାକୁ ଗୋଟିଏ ଦିନ ପୂର୍ବରୁ ବାତିଲ୍ କରାଯାଇଥିଲା । ଘଟଣାର ତଦନ୍ତକ୍ରମେ ବୋର୍ଡ ଉପସଭାପତିଙ୍କ ସମେତ ୮ ଜଣକୁ ଗିରଫ କରାଯାଇଥିଲା । ସେହିଭଳି ଆରଆଇ, ଅମୀନ ପରୀକ୍ଷା ମଧ୍ୟ ବ୍ୟାପକ ଅନିୟମିତତା କାରଣରୁ ବାରମ୍ବାର ବାତିଲ ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)