ଅକ୍ଷର ବ୍ୟୁରୋ: ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ପ୍ରବଳ ଜାଡ଼ ସାଙ୍ଗକୁ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଝାରସୁଗୁଡ଼ାରେ ୫ ଡିଗ୍ରୀ ଛୁଇଁଲା ପାରଦ । ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀରେ ବାଘୁଆ ଜାଡ଼ । ପାରଦ ୧୧.୬ ଡିଗ୍ରୀ ଛୁଇଁଛି । ୨୪ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ ହୋଇଛି । ଆଗାମୀ ସାତ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦୁଇଦିନ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ତଳେ ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିଛି । କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି । ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି ।
ଅନ୍ୟପଟେ ଶିମିଳିପାଳରେ ତୁଷାରପାତ । -୧° ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳା ଚାଦର ତଳେ ଘୋଡ଼େଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ । ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ୍ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚହଲା ଓ ଗୁରୁଗୁଡ଼ିଆରେ ୨° ଡିଗ୍ରୀ ଏବଂ ବରେହିପାଣିଠାରେ ୫° ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ।












Leave a Reply