ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା; କାଳବୈଶାଖୀ ପାଇଁ ପ୍ରସ୍ତୁତ ରହିବାକୁ ପାଣିପାଗ ବିଭାଗର ସର୍ତକ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା । ମଙ୍ଗଳବାର ଯାଏ ତାତି କମ୍ ରହିବ । କିନ୍ତୁ ୩ ତାରିଖଠାରୁ ତାତି ପୁଣି ବଢ଼ିବ । ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢ଼ି ଯାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତକାଲି ରାଜ୍ୟର ଦୁଇଟି ସ୍ଥାନକୁ ଛାଡ଼ିଲେ ବାକି ସବୁ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ଥିଲା । ସମ୍ବଲପୁରରେ ୪୧.୪ ଡିଗ୍ରୀ, ବୌଦ୍ଧରେ ୪୧.୨ ଓ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ବଲାଙ୍ଗିରରେ ୩୯.୭, ନୟାଗଡ଼ରେ ୩୯.୬, ସୋନପୁର ଓ ଖୋର୍ଦ୍ଧାରେ ୩୯.୫, ନବରଙ୍ଗପୁରରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେପଟେ କାଳବୈଶାଖୀ ପାଇଁ ପ୍ରସ୍ତୁତ ରହିବାକୁ ପାଣିପାଗ ବିଭାଗ ସର୍ତକ କରିଛି । ରବିବାର ନୟାଗଡ଼ ଓ ଗଞ୍ଜାମରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ବି ଅଛି । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

୧ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫ ତାରିଖ ଯାଏ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)